-ଦୀର୍ଘଦିନ ଧରି ଗୋଟିଏ ସଂସ୍ଥା ଯୋଗଉଛି ଖାଦ୍ୟ
-କାଦୁଅ ଲଡୁ, ନିମ୍ନମାନର ଛତୁଆ ଯୋଗାଇ କୋଟିକୋଟି ଟଙ୍କା ଲୁଟୁଛନ୍ତି ଠିକାସଂସ୍ଥା -କେଉଁ ଅଦୃଶ୍ୟ ଚାପରେ କାର୍ଯ୍ୟାନୁଷ୍ଠାନ ନେଉନି ବିଭାଗ !
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ଗର୍ଭବତୀ ମହିଳା, ପ୍ରସୁତି ମାଆ ଓ ଶିଶୁମାନଙ୍କ ମଧ୍ୟରେ ପୃଷ୍ଟିହୀନତା ଦୁର କରିବା ପାଇଁ ସରକାରଙ୍କ ପକ୍ଷରୁ ପରିପୁରକ ପୃଷ୍ଟିକର ଖାଦ୍ୟ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ସମ୍ପୁର୍ଣ୍ଣ ପୃଷ୍ଟିକର ଯୋଜନା ମାଧ୍ୟମରେ ଅଙ୍ଗନୱାଡି ଅଧିନରେ ଶିଶୁ , ଗର୍ଭବତୀ ଓ ପ୍ରସୁତି ମହିଳା ଏବଂ କିଶୋରୀମାନଙ୍କୁ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି। ଯାହାକୁ କିଛି ଠିକା ସଂସ୍ଥା ଦୀର୍ଘଦିନ ଧରି ଯୋଗଉଛନ୍ତି। ମାତ୍ର ଉକ୍ତ ଠିକା ସଂସ୍ଥା ନିମ୍ନମାନର ଖାଦ୍ୟ ଯୋଗାଯାଉଥିବା ନେଇ ବାରମ୍ବାର ଅଭିଯୋଗ କରାଯାଉଥିଲେ ମଧ୍ୟ ଉକ୍ତ ଠିକାସଂସ୍ଥାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ। କେଉଁ କାରଣରୁ ଓ କେଉଁ ଅଦୃଶ୍ୟ ଚାପ ବଳରେ ଠିକାସଂସ୍ଥାକୁ ସୁରକ୍ଷା ଦିଆଯାଉଛି ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଣ୍ଡା, ଛତୁଆ, ଚିକି ଲଡୁ, ବେସନ, ମୁଢ଼ି, ବୁଟ, ଖଜୁରୀ ଓ ସୁଜି ଭଳି ଖାଦ୍ୟ ବଣ୍ଟନ କରାଯାଉଥିବା ବେଳେ ଏହାର ମାନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିମ୍ନମାନର ଛତୁଆ ଓ ଅନ୍ୟ ସାମଗ୍ରୀ ସାଙ୍ଗକୁ ପୋକରା ଓ କାଦୁଅ ଯୁକ୍ତ ଲଡୁ ବଣ୍ଟନ କରାଯାଉଥିବା ନେଇ ବାଲେଶ୍ୱର ଜିଲ୍ଲା ସୋରରୁ ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ ଗତ କିଛିଦିନ ତଳେ ସୋର ବ୍ଲକ ବାଳଙ୍ଗ ପଞ୍ଚାୟତରେ ଥିବା ଏକ ଅଙ୍ଗନୱାଡିରେ ପିଲାକୁ ଦିଆଯାଇଥିବା ଲଡୁରୁ କାଦୁଅ ବାହାରିଥିଲା। ଯାହାକୁ ନେଇ ପରିବାର ଲୋକ ପ୍ରତିବାଦ କରିବାରୁ ଲଡୁ ନିର୍ମାଣ ପାଇଁ ଠିକା ନେଇଥିବା ସଂସ୍ଥା ଏପରି ଲଡୁ ଦେଇଥିବା କହି ଖସିଯାଇଥିଲେ କର୍ମୀ ଜଣଙ୍କ । ସୋରରେ ଏବେ ୩୨୯ଟି ଅଙ୍ଗନୱାଡି ଅଧିନରେ ୧୮୯୯ ଜଣ ଗର୍ଭବତୀ ଓ ପ୍ରସୁତି,୪୭୯୭ ଜଣ ୭ମାସରୁ ୩ ବର୍ଷର ଶିଶୁ ଓ ୪୯୦୮ ଜଣ କିଶୋରୀଙ୍କୁ ଏହି ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି। ମାସକୁ ଗର୍ଭବତୀ ଓ ପ୍ରସୁତି ମାନଙ୍କୁ ମୁଣ୍ଡପିଛା ୧୨ଟି ଅଣ୍ଡା, ୫୦୦ଗ୍ରାମ ଖଜୁରୀ, ୩କେଜି ୬ଶହ ଗ୍ରାମ ଛତୁଆ, ୫ଶହ ଗ୍ରାମ ପୃଷ୍ଟିକର ମୁଢ଼ି,ଓ ୫ଶହ ଗ୍ରାମ ଚିକି ଲଡୁ ଦିଆଯାଉଛି। ସେହିପରି କିଶୋରୀ ବାଳିକା ମାନଙ୍କୁ ୧କେଜି ୩ଶହ ୫୦ଗ୍ରାମ ବୁଟ, ୧୨ଟି ଅଣ୍ଡା, ୧କେଜି ୫ଶହ ଗ୍ରାମ ମୁଢ଼ି ଓ ୫ଶହ ଗ୍ରାମ ଚିକି ଲଡୁ ଓ ୬ମାସରୁ ୩ବର୍ଷର ଶିଶୁମାନଙ୍କ ପାଇଁ ୨କେଜି ୨ଶହ ଗ୍ରାମ ଓଜନର ଛତୁଆ, ୧କେଜି ୩ଶହ ୫୦ଗ୍ରାମର ସୁଜି ହାଲୁଆ କିଟ ଆଦି ପ୍ରଦାନ କରାଯାଉଛି। ଯେଉଁଥିପାଇଁ ମାସକୁ ୧୪୮ କ୍ୱିଣ୍ଟାଲ ୨୬କେଜି ୧୫୦ଗ୍ରାମ ଓଜନର ଛତୁଆ,୬୪ କ୍ୱିଣ୍ଟାଲ ୭୫ କେଜି ୯ଶହ ୫୦ଗ୍ରାମର ସୁଜି କିଟ, ୧୧ କ୍ୱିଣ୍ଟାଲ ୫୮ କେଜି ୩ଶହ୯୦ଗ୍ରାମର ଚିକି ଲଡୁ, ୧୩ କ୍ୱିଣ୍ଟାଲ ୬୧କେଜି ୪ଶହ ଗ୍ରାମର ମୁଢ଼ି, ୩୪ କ୍ୱିଣ୍ଟାଲ ୩୦କେଜି ୫ଶହ ଗ୍ରାମର ଖଜୁରୀ ଓ ୮୧ହଜାର ୬ଶହ ୮୪ଟି ଅଣ୍ଟା ବଣ୍ଟନ କରାଯାଉଛି। ଯେଉଁଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ଏତେ ମାତ୍ରାରେ ଟଙ୍କା ସରକାରଙ୍କ ପକ୍ଷରୁ ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଲୋକଙ୍କ ପାଖରେ ପୃଷ୍ଟିକର ଖାଦ୍ୟ ବଦଳରେ ପୋକ ଲାଗିଥିବା ମୁଢ଼ି, କାଦୁଅ ଓ ଦୁର୍ଗନ୍ଧ ଯୁକ୍ତ ଲଡୁ ଓ ନିମ୍ନ ମାନର ଛତୁଆ ଦିଆଯାଉଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଦିର୍ଘଦିନ ଧରି ଗୋଟିଏ ଗୋଟିଏ ସଂସ୍ଥା ଏପରି ନିମ୍ନ ମାନର ଖାଦ୍ୟଯୋଗାଉଥିବା ବେଳେ ସେମାନଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବା ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ନିମ୍ନମାନର ଖାଦ୍ୟ ଯୋଗାଉଥିବା ସଂସ୍ଥା ମାନଙ୍କ ଉପରେ ଅଚାନକ ଚଢ଼ାଉ କରାଯାଇ ସୋମନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ସହିତ ଦୀର୍ଘ ଦିନ ଧରି ଖାଦ୍ୟ ଯୋଗଉଥିବା ଉକ୍ତ ସଂସ୍ଥାକୁ ବାଦ ଦିଆଯାଇ ଅନ୍ୟ ସଂସ୍ଥା ମାନଙ୍କୁ ଖାଦ୍ୟ ଯୋଗାଇବାର ସୁଯୋଗ ଦିଆଗଲେ ଲୋକମାନେ ଉପଯୁକ୍ତ ଖାଦ୍ୟ ପାଇପାରିବେ ବୋଲି ଦାବି ହୋଇଛି। ଏନେଇ ସୋର ସିଡିପିଓ ହାରାମଣୀ ନାୟକଙ୍କୁ ପଚାରିବାରୁ ଆମେ ନିୟମିତ ଚଢ଼ାଉ କରୁଛୁ ଆଗାମୀ ଦିନରେ ମଧ୍ୟ କରିବୁ ନିମ୍ନମାନର ଖାଦ୍ୟ ଯୋଗାଉଥିବାର ଅଭିଯୋଗ ଆସିବା କ୍ଷଣି ସଂସ୍ଥା ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବୁ ବୋଲି କହିଥିଲେ।
