ଅଜଣା ଗାଡ଼ି ଧକ୍କାରେ ଡାକ କର୍ମଚାରୀ ମୃତ, ଜଣେ ଗୁରୁତର
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ,ନିପ୍ର) ଅଜଣା ଗାଡ଼ି ଧକ୍କାରେ ଜଣେ ଡାକ କର୍ମଚାରୀ ଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସୂଚନା ମୁତାବକ ; ବାରିପଦା ଥାନା ଦାମୋଦରପୁର ଗ୍ରାମର ହରିଶ ଚନ୍ଦ୍ର ହେମ୍ଭ୍ରମ(୪୫) କୋଷ୍ଟା ପୋଷ୍ଟ ଅଫିସର କର୍ମଚାରୀ ଥିବା ବେଳେ ଗତକାଲି ରାତିରେ ବାରିପଦାରୁ ଭୁବନେଶ୍ୱର ଅଭିମୁଖେ ଓଡ଼ି ୧୧ ଏସ ୮୩୧୦ ନମ୍ବର ବିଶିଷ୍ଟ କାରରେ ତାଙ୍କର ଜଣେ ସହଯୋଗୀ ସତ୍ୟଜିତ ବେହେରାଙ୍କ ସହ ଯାଉଥିଲେ। ଏହିସମୟରେ ସୋର ଥାନା ୧୬ ନଂ ଜାତୀୟ ରାଜପଥ ଅଲୀପୁର ଛକ ନିକଟରେ ଉଭୟ କାର ରଖି ପରିଶ୍ରା କରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କ କାରକୁ ଧକା ଦେଇ ଫେରାର ହୋଇ ଯାଇଥିଲା । ଫଳରେ କାରଟି ଆଗରେ ଥିବା ହରିଶ ଚନ୍ଦ୍ରଙ୍କ ସହିତ ପିଟି ହୋଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଥିଲା। ଏଥିରେ ଉଭୟ ଗୁରୁତର ଆହତ ହୋଇଥିବା ବେଳେ ଜାତୀୟ ରାଜପଥ ପେଟ୍ରୋଲିଂ ପୁଲିସ ସେମାନଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ହରିଶଙ୍କୁ ମୃତ ଘୋଷଣା କରିଥିବା ବେଳେ ତାଙ୍କ ସହଯୋଗୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ୬୨୭/୨୬ରେ ଏକ ମାମଲା ରୁଜ୍ଜୁ କରି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।
