
ସାରସକଣା/ଜାମଶଳା (ଅନିଲ କୁମାର ସାହୁ) :ଜାମଶଳା ନିକଟସ୍ଥ ଝାଡଖଣ୍ଡ ରାଜ୍ୟ ବହାଡ଼ାଗୋଡା ଠାରେ ୪୯ ନମ୍ୱର ଜାତୀୟ ରାଜପଥ ବେଲା ଛକ ନିକଟ ଜିଓ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ପ୍ରୋପିଲିନ ଗ୍ୟାସ ଭତ୍ତି ଟ୍ୟାଙ୍କର ରୁ ଗ୍ୟାସ ଲିକ୍ ହେବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖାଦେଇଛି।ଏହାକୁ ଦୃଷ୍ଟିରେ ରଖି ଝାଡ଼ଖଣ୍ଡ ପ୍ରଶାସନ ପକ୍ଷରୁ ଓଡ଼ିଶା ଓ ଝାଡଖଣ୍ଡ ରାସ୍ତାକୁ ସମ୍ପୁର୍ଣ୍ଣ ବନ୍ଦ କରାଯିବା ସହ ସ୍ଥାନୀୟ ଅଞ୍ଚଳରେ ୧୪୪ ଧାରା ଜାରୀ କରାଯାଇଛି।ଏହି ଗ୍ୟାସ ବିଷାକ୍ତ କି ସାଧାରଣ ,ତାହା ଜାଣିବା ପାଇଁ ବାଲେଶ୍ବରରୁ ବିଶେଷଜ୍ଞଙ୍କୁ ଡକାଯାଇଛି। ଝାଡଖଣ୍ଡ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ବ୍ୟବସ୍ଥା କରାଯିବା ସହ ୨ କିମି ଦୂର ଯାଏଁ ଅଞ୍ଚଳକୁ ସମ୍ପୂର୍ଣ୍ଣ ସିଲ କରିଦିଆ ଯାଇଛି।ଏହା ସହ ଲୋକଙ୍କୁ ଘରୁ ନ ବାହାରିବାକୁ ନିବେଦନ କରାଯାଇଛି।ଶାନ୍ତି ଏବଂ ସହଯୋଗ ବଜାୟ ରଖିବା ସହ ଗୁଜବରେ ଧ୍ୟାନ ନ ଦେବାକୁ ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି। ବହାଡ଼ାଗୋଡା ଥାନା ପ୍ରଭାରୀ ଏବଂ ଜୋନାଲ ଅଧିକାରୀ ସକାଳଠାରୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଅପରପକ୍ଷେ ଘଟଣାଟି ଘଟିବାର ସକାଳ ଠାରୁ ରାତି ପର୍ଯ୍ୟନ୍ତ ବିତି ଯାଇ ଥିଲେ ସୁଦ୍ଧା ଗ୍ୟାସ ଲିକ୍ ବନ୍ଦ ହୋଇନଥିବାର ସୂଚନା ମିଳୁଛି,ଯାହାଫଳରେ ଜାତୀୟ ରାଜପଥରେ ଶହ ଶହ ଯାନବାହନ ଅଟକିରହିଛି।