
ସାରସକଣା,ଜାମଶଳା (ଅନୀଲ କୁମାର ସାହୁ) : ରାଜ୍ୟରେ କାର୍ଯ୍ୟରତ ଓ ଏ ଏସ ଅଫିସରଙ୍କ ଉପରେ ହେଉଥିବା ଆକ୍ରମଣକୁ ନିନ୍ଦା କରିଛି ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ସଙ୍ଘ।ପୁଲିସ ଉପସ୍ଥିତିରେ ହୋଇଥିବା ଏହି ଆକ୍ରମଣକୁ ସମଗ୍ର ରାଜ୍ୟରେ ବିରୋଧ କରାଯାଇଛି।ରାଜ୍ୟ ସଂଘ ର ନିଷ୍ପତ୍ତିକୁ ସମର୍ଥନ ଜଣାଇ ମୟୂରଭଞ୍ଜ ଜିଲ୍ଲାରେ କାର୍ଯ୍ୟରତ ଓ ଏ ଏସ ଏବଂ ଓ ଆର୍ ଏସ ଅଧିକାରୀମାନେ ମଙ୍ଗଳବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଛୁଟିରେ ରହିଛନ୍ତି। ଅତିରିକ୍ତ ବି ଏମ ସି କମିଶନର ଓ କୁଲିଅଣା ତହସିଲଦାରଙ୍କୁ ଆକ୍ରମଣ କରି ଥିବା ଅଭିଯୁକ୍ତ ଗିରଫ ନ ହେବା ପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗଦେବେ ନାହିଁ ବୋଲି କହିଛନ୍ତି। ଏ ନେଇ ସଂଘର ଜିଲ୍ଲା ଶାଖା ପକ୍ଷରୁ ଏକ ଦାବୀ ପତ୍ର ଜିଲ୍ଲାପାଳ ହେମକାନ୍ତ ସୟେଙ୍କୁ ପ୍ରଦାନ କରାଯାଇଛି।ଏହାର ନକଲ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି।ସୂଚନା ଅନୁଯାୟୀ,ବି ଏମ୍ ସି ର ଅତିରିକ୍ତ କମିସନର ରତ୍ନାକର ସାହୁ,କୁଲିଅଣା ତହସିଲଦାର ଦୁର୍ଗା ଚରଣ ମୁର୍ମୁ ଓ କପ୍ତିପଦା ଅତିରିକ୍ତ ତହସିଲଦାର କର୍ତ୍ତବ୍ୟ ପାଳନ ସମୟରେ ଆକ୍ରମଣର ଶିକାର ହୋଇଥିଲେ। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡନ ଖେଳାଇ ଦେଇଥିଲା।ଏଥିସହ କାର୍ଯ୍ୟରତ ଅଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ସଂଘର ନିଷ୍ପତ୍ତି ପରେ ଜିଲ୍ଲାରେ କାର୍ଯ୍ୟରତ ୧୧୫ ରୁ ଉର୍ଦ୍ଧ୍ବ ଓ ଏ ଏସ,ଏବଂ ଓ ଆର୍ ଏସ ଅଧିକାରୀ ସମୂହ ଛୁଟିରେ ରହିଛନ୍ତି।ଯାହାଫଳରେ ଜିଲ୍ଲାର ସରକାରୀ କାର୍ଯ୍ୟାଳୟ ଗୁଡିକରେ ହେଉଥିବା ବିଭିନ୍ନ ଉନନୟନମୂଳକ କାର୍ଯ୍ୟ ବନ୍ଦ ରହିଛି।ଦୂର ଦୁରାନ୍ତରୁ ଆସୁଥିବା ଲୋକଙ୍କ ସମସ୍ୟାର ଅଭିଯୋଗ ଶୁଣିବାକୁ କେହି ନାହାନ୍ତି।ଯାହା ଫଳରେ ଲୋକମାନେ ନାହିଁ ଥିବା ଅସୁବିଧାରେ ପଡୁଛନ୍ତି। ଖୁବ ଶୀଘ୍ର ଏହି ବିବାଦ ସମାଧାନ କରିବାକୁ ଦାବି ଉଠୁଛି।ଦାବିପତ୍ର ପ୍ରଦାନ ବେଳେ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ନେତ୍ରାନନ୍ଦ ମଲ୍ଲିକ, ଓ ଈଶ୍ଵର ଚନ୍ଦ୍ର ନାଏକ,ଉପ ଜିଲ୍ଲାପାଳ ଡ଼.ଦୟାସିନ୍ଧୁ ପରିଡ଼ା,ସି ଡ଼ି ଏ / ଜେ ଡ ପି ଧର୍ମାନନ୍ଦ ବେହେରାଙ୍କ ସମେତ ଓ ଏ ଏସ ଅଧିକାରୀ ମାନେ ଉପସ୍ଥିତ ଥିଲେ।