*ଉଦ୍ୟାନ କୃଷିରେ ନୂଆପଡ଼ାକୁ ରାଜ୍ୟସ୍ତରୀୟ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା’ ସମ୍ମାନ ଟିମ୍ ପ୍ରୟାସର ଫଳ ବୋଲି କହିଲେ ଜିଲ୍ଲାପାଳ; ବିଭିନ୍ନ ମହଲରୁ ଅଭିନନ୍ଦନ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୪/୦୮:
ଉଦ୍ୟାନ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୦୨୫-୨୬ ବର୍ଷ ନିମନ୍ତେ ନୂଆପଡ଼ା ଜିଲ୍ଲାକୁ ରାଜ୍ୟସ୍ତରରେ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା’ (Best Performer) ସମ୍ମାନ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ କୃଷି ଭବନଠାରେ ଆୟୋଜିତ ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କଠାରୁ ନୂଆପଡ଼ାର ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ଜିଲ୍ଲା ପକ୍ଷରୁ ଏହି ସମ୍ମାନ ଗ୍ରହଣ କରିଛନ୍ତି।ଏହି ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ୟାନ କୃଷି ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନ ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ସଫଳତା ସମ୍ପୂର୍ଣ୍ଣ ଟିମ୍ର ମିଳିତ ପ୍ରୟାସର ଫଳ ବୋଲି ଜିଲ୍ଲାପାଳ କହିବା ସହ ବିଭିନ୍ନ ବିଭାଗ, ଅଧିକାରୀ, କର୍ମଚାରୀ ଓ ସମ୍ପୃକ୍ତ ହିତାଧିକାରୀଙ୍କ ସମନ୍ୱିତ ପ୍ରୟାସକୁ ପ୍ରଶଂସା କରିଛନ୍ତି।
ଜିଲ୍ଲାପାଳଙ୍କ ନିରନ୍ତର ମାର୍ଗଦର୍ଶନ ଓ ସହଯୋଗ ଏହି ସଫଳତା ପଛରେ ପ୍ରେରଣା ଯୋଗାଇଛି ବୋଲି ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଉଦ୍ୟାନ କୃଷି ବିଭାଗ ସହ ସମ୍ପୃକ୍ତ ସମସ୍ତ ବିଭାଗ, ଅଧିକାରୀ, କର୍ମଚାରୀ, ସହଯୋଗୀ ଓ ହିତାଧିକାରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।
ନୂଆପଡ଼ାକୁ ମିଳିଥିବା ଏହି ସମ୍ମାନ ପରେ ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଉଦ୍ୟାନ କୃଷି ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମ୍ମାନ ଜିଲ୍ଲାର ଉଦ୍ୟାନ କୃଷି କ୍ଷେତ୍ରରେ ଚାଲିଥିବା ସମନ୍ୱିତ ପ୍ରୟାସକୁ ଆହୁରି ଉତ୍ସାହିତ କରିବା ସହ ଆଗାମୀ ଦିନରେ ଅଧିକ ସଫଳତା ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ ପାଇଛି।
