*ପୋଲ ନିର୍ମାଣକୁ ନେଇ ପୋଲିସ-ଜନତା ମୁହାଁମୁହିଁ*
ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ, ଚାପା ଉତ୍ତେଜନା
ତିର୍ତ୍ତୋଲ, (ନିପ୍ର): ଜଳସମ୍ପଦ ବିଭାଗ ପକ୍ଷରୁ ତୁଳଙ୍ଗ ପଞ୍ଚାୟତ ଅନ୍ତର୍ଗତ ସୋରିଷପୋଖରୀ ଗ୍ରାମରେ ସିଜୁକୁଟି ସବ୍-ମାଇନର କେନାଲ ଉପରେ ଚାଲିଥିବା ପୋଲ ନିର୍ମାଣକୁ କେନ୍ଦ୍ର କରି ମଙ୍ଗଳବାର ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିବା ବେଳେ ପୋଲିସ ଫୋର୍ସ ମୁତୟନ କରାଯାଇଛି।
ସୂଚନା ଅନୁଯାୟୀ, କେନାଲ ଉପରେ ପୋଲ ନିର୍ମାଣକୁ ନେଇ ପୂର୍ବରୁ ଗ୍ରାମବାସୀ, ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବା ପରେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀଙ୍କ ପକ୍ଷରୁ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଥିଲା।
ଏହାପରେ ଆଜି ତିର୍ତ୍ତୋଲ ଥାନାର ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କୁ ବୁଝାସୁଝା କରୁଥିବା ସମୟରେ ପୁଣିଥରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ଗାଁରେ ପୋଲ ନିର୍ମାଣକୁ ନେଇ ଦୁଇଟି ଗୋଷ୍ଠୀ ସୃଷ୍ଟି ହୋଇଥିବାରୁ ବିବାଦ ଅଧିକ ତୀବ୍ର ହୋଇଥିବା ଜଣାପଡ଼ିଛି।
ପୋଲିସ ଉପସ୍ଥିତିରେ ବର୍ତ୍ତମାନ ପୋଲ ନିର୍ମାଣ କାର୍ଯ୍ୟ ଜାରି ରହିଛି। ତେବେ ନିର୍ମାଣ ସମୟରେ ଜଳସମ୍ପଦ ବିଭାଗର କୌଣସି ଅଧିକାରୀ ଘଟଣାସ୍ଥଳରେ ଉପସ୍ଥିତ ନଥିବା ଦେଖାଯାଇଥିଲା। ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।
ବିବାଦୀୟ ପୋଲ ନିର୍ମାଣକୁ ନେଇ ଉପୁଜିଥିବା ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜଳସମ୍ପଦ ବିଭାଗର ଉଚ୍ଚ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ଉଭୟ ପକ୍ଷ ସହ ଆଲୋଚନା କରିବାକୁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହୋଇଛି।
