ନିଲାମ ହେଲା ଜବତ ବାଲି
ମୟୂରଭଞ୍ଜ ;-ସାରସକଣା ତହସିଲ ଅଧୀନ ଶୀର୍ଷା ଓ ଭୁରସାଣି ରାଜସ୍ୱନିରୀକ୍ଷକ ସର୍କଲର ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ଗଚ୍ଛିତ କରାଯାଇ ଜବତ ହୋଇଥିବା ବାଲିକୁ ମଙ୍ଗଳବାର ସର୍ବସାଧାରଣଙ୍କ ଉପସ୍ଥିତିରେ ନିଲାମ କରାଯାଇଛି। ଜିଲ୍ଲା ଖଣି ଅଧିକାରୀ ଓ ସାରସକଣା ତହସିଲଦାରଙ୍କ ଉପସ୍ଥିତିରେ ପୂର୍ବ ଘୋଷିତ ସୂଚନା ଅନୁଯାୟୀ ଏହି ନିଲାମ ପ୍ରକ୍ରିୟା ସମ୍ପନ୍ନ ହୋଇଥିଲା। ତେବେ
ବର୍ଷା ଋତୁରେ ସରକାରୀ ବାଲିଘାଟ ବନ୍ଦ ଥିବାର ସୁଯୋଗ ନେଇ କେତେକ ଅସାଧୁ ବ୍ୟକ୍ତି ସୁବର୍ଣ୍ଣରେଖା ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ବିଭିନ୍ନ ସ୍ଥାନରେ ଗଚ୍ଛିତ କରିଥିଲେ। ଗତ ଜୁଲାଇ ୨୧ ଓ ୨୨ ତାରିଖରେ ଜିଲ୍ଲା ଖଣି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏହି ବାଲିକୁ ଜବତ କରାଯାଇଥିଲା। ମଙ୍ଗଳବାର ପୂର୍ବାହ୍ନରେ ଭୁରସାଣି ରାଜସ୍ୱନିରୀକ୍ଷକ କାର୍ଯ୍ୟାଳୟ ଏବଂ ଅପରାହ୍ନରେ ଶୀର୍ଷା ପଞ୍ଚାୟତରେ ନିଲାମ ଅନୁଷ୍ଠିତ ହୋଇଥିଲା। ନିଲାମରେ ଯାମଶଳାଠାରେ ଗଚ୍ଛିତ ପ୍ରାୟ ୧୬୫୧ କ୍ୟୁବିକ୍ ମିଟର ବାଲି ୧୮ଲକ୍ଷ ୭୮ହଜାର ୬୧୮ ଟଙ୍କାରେ ନିଲାମ ହୋଇଥିଲା। ସେହିପରି ପାଣ୍ଡରାଠାରେ ଗଚ୍ଛିତ ପ୍ରାୟ ୬୦୦ କ୍ୟୁବିକ୍ ମିଟର ବାଲି ୧୦ ଲକ୍ଷ ୭୬ ହଜାର ୯୬୯ ଟଙ୍କାରେ ବିକ୍ରି ହୋଇଥିଲା।ପ୍ରାପ୍ତ ସୂଚନା ଅନୁଯାୟୀ, ଯାମଶଳାର ଜବତ ବାଲିକୁ ସୂର୍ଯ୍ୟନାରାୟଣ ଦାସ ଓ ସନ୍ଦୀପ ମିଶ୍ର ସର୍ବାଧିକ ଡାକରେ ହାସଲ କରିଥିବାବେଳେ, ପାଣ୍ଡରାର ଜବତ ବାଲିକୁ ଉତ୍ତମ କୁମାର ଦଣ୍ଡପାଟ ସର୍ବାଧିକ ନିଲାମ ଡାକରେ ନେଇଥିବା ଜଣାପଡ଼ିଛି।
ମୟୁରଭଞ୍ଜରୁ ମୋନାଳି ସାହୁଙ୍କ
ରିପୋର୍ଟ ଭଂଜଦୂତ ଖବର
