ଜଳଲାଗି ପାଇଁ କପିଳାସ ଶୈବପୀଠରେ କାଉଡ଼ିଆ।
ଢେଙ୍କାନାଳ ସଦର : ଶ୍ରାବଣ ମାସର ଦ୍ଵିତୀୟ ସୋମବାର ଜଳ ଲାଗି ପାଇଁ ଶୈବପୀଠ ଅଭିମୁଖେ କାଉଡ଼ିଆମାନେ ଯାତ୍ରା କରିଛନ୍ତି। ମାନସିକ ବ୍ରତକୁ ସଫଳ କରିବା ନେଇ ଶହ ଶହ କାଉଡ଼ିଆ ରବିବାର ବିଭିନ୍ନ ଗ୍ରାମର ବ୍ରାହ୍ମଣୀ ନଦୀ କୂଳରେ ପୂଜାର୍ଚ୍ଚନା କରି ପାଣିଭାର ଉଠାଇ କପିଳାସରେ ବିଜେ ଶ୍ରୀଚନ୍ଦ୍ରଶଖର ଜିଉ,କରମୂଳ ଦୌଡ଼େଶ୍ଵର,ନାଗନାଥେଶ୍ଵର,ଭୋଳେଶ୍ଵର,ଊନ୍ନକୋଟୀଶ୍ଵର,ଛଦେଶ ଅଞ୍ଚଳର ବାବା ପଶ୍ଚିମେଶ୍ଵର ଆଦି ଶୈବପୀଠ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଅଧିକ ସଂଖ୍ୟାରେ କାଉଡ଼ିଆ କପିଳାସ ମୁହାଁ ହୋଇଛନ୍ତି। ଗତ ଦୁଇଦିନ ତଳୁ ଭକ୍ତମାନେ କପିଳାସକୁ ପାଣି ଭାର ନେଇ ଚାଲି ଚାଲି ଆସୁଛନ୍ତି। ଢେଙ୍କାନାଳ-କପିଳାସ ରାସ୍ତାରେ ଏହି କାଉଡ଼ିଆମାନେ ଚାଲି ଚାଲି ଯାଉଥିବାବେଳେ ଅପରପାର୍ଶ୍ଵ ଭୁବନ,ଯାଜପୁର,ଚଣ୍ଡିଖୋଲ,ଟାଙ୍ଗି ଆଦି ରାସ୍ତାଦେଇ ହଜାର ହଜାର ଶ୍ରଦ୍ଧାଳୁ କପିଳାସ ପୀଠକୁ ଆସୁଥିବା ଦେଖାଯାଇଛି। ସଂଧ୍ୟା ସୁଦ୍ଧା କପିଳାସ ପୀଠ ପାହାଚ ତଳେ ଓ ପୀଠରେ ପ୍ରାୟ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇ ଲମ୍ବା ଧାଡ଼ିରେ ବାବା ଚନ୍ଦ୍ରଶେଖରଙ୍କ ପାଖରେ ଜଳ ଢାଳିଥିଲେ। ଶାଢିଶୃଙ୍ଖଳା ରକ୍ଷା ପାଇଁ ଅତିରିକ୍ତ ଏସ୍ ପି ସୂର୍ଯ୍ୟମଣି ପ୍ରଧାନଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ପୋଲିସ୍ କର୍ମଚାରୀ ମୁତୟନ ରହିଥିଲେ। ଢେଙ୍କାନାଳ ରୁ ରିପୋର୍ଟର ବିଷ୍ଣୁ ଚରଣ ସାହୁ ।
