ଲାଇସେନ୍ସଧାରୀ ମଦ ବ୍ୟବସାୟୀଙ୍କ ନାଁରେ ମାମଲା, ଉଠିଲା ପ୍ରଶ୍ନ
ବସ୍ତା:- (ନି.ପ୍ର) ସେଖ ଆଜାରୁଦ୍ଦିନ
ବାହାବଳପୁର ଅଞ୍ଚଳରେ ଲାଇସେନ୍ସପ୍ରାପ୍ତ ମଦ ବ୍ୟବସାୟୀଙ୍କ ନାଁରେ ମାମଲା ରୁଜୁକୁ ନେଇ ଉଠିଛି ପ୍ରଶ୍ନ। ଅଭିଯୋଗ ଅନୁସାରେ, ଗତ ୧୨ ଜୁଲାଇରୁ ମଦ ଦୋକାନ ବନ୍ଦ ଥିବା ସମୟରେ ଅନ୍ୟ ଜଣେ ବ୍ୟକ୍ତି ଦୋକାନ ବାରଣ୍ଡାରେ ଚୋରାରେ ମଦ ବିକ୍ରି କରୁଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଦ ଜବତ କରିଥିବା ବେଳେ ବିକ୍ରେତା ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ତେବେ ମଦ ଦୋକାନର ଲାଇସେନ୍ସଧାରୀ ପିଣ୍ଟୁଙ୍କ ନାଁରେ ୨୨ ଜୁଲାଇରେ ମାମଲା ରୁଜୁ ହୋଇଥିବା ନେଇ ସେ ଆପତ୍ତି ଉଠାଇଛନ୍ତି। ପିଣ୍ଟୁଙ୍କ କହିବା ଅନୁସାରେ, ସେ ୧୨ ଜୁଲାଇରୁ ନିଜ ଘର ବିହାରକୁ ଯାଇଥିଲେ। ତେବେ ତାଙ୍କ ଅନୁପସ୍ଥିତିରେ ଅନ୍ୟ ଜଣେ ବ୍ୟକ୍ତି ସେହି ସ୍ଥାନରେ ଚୋରା ମଦ ବିକ୍ରି କରୁଥିବାବେଳେ ପୁଲିସ ଚଢ଼ାଉ କରିଥିବା ତାଙ୍କ ଅଭିଯୋଗ। ଏନେଇ ପିଣ୍ଟୁ କଷାଫଳ ସାମୁଦ୍ରିକ ଥାନାରେ ଅଭିଯୋଗ କରିଛନ୍ତି। ମାମଲା ରୁଜୁ ପୂର୍ବରୁ ଘଟଣାର ତଦନ୍ତ ହୋଇଥିଲା କି ନାହିଁ, ତାହାକୁ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନ ଉଠିଛି। କଷାଫଳ ସାମୁଦ୍ରିକ ଥାନା ଅଧିକାରୀଣୀ ରଶ୍ମୀରେଖା ମହାଳିକଙ୍କୁ ଏନେଇ ପଚାରିବାରୁ, ସେ କହିଥିଲେ ତଦନ୍ତ ଚାଲୁ ଅଛି ଯଦି ସେ ଘଟଣାରେ ସମ୍ପୃକ୍ତ ନ ଥିବେ ତେବେ ଲାଇସେନ୍ସଧାରୀଙ୍କ ନାଁ ମାମଲାରୁ ବାଦ୍ ଦିଆଯିବ।
