*ମିଶନ ‘ଏ ୱାନ’ରେ ମେଧାବୀଙ୍କୁ ସଫଳତାର ମନ୍ତ୍ର; ବାଉଁଶୁଣୀରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ*
ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଜିଲ୍ଲାରୁ ଅଧିକ ସଂଖ୍ୟକ ‘ଏ-ୱାନ’ ଗ୍ରେଡ୍ ସୃଷ୍ଟି କରିବା ଲକ୍ଷ୍ୟରେ ଚାଲିଥିବା ‘ମିଶନ ଏ ୱାନ’ କାର୍ଯ୍ୟକ୍ରମ ଅନ୍ତର୍ଗତ ବୌଦ୍ଧ ବ୍ଲକର ଆଶାୟୀ ଶିକ୍ଷାର୍ଥୀଙ୍କ ପାଇଁ ଜିଲ୍ଲାସ୍ତରୀୟ ସ୍ୱାଗତ ଓ ପ୍ରବେଶ ଉତ୍ସବ ବାଉଁଶୁଣୀ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଟେମଲାଲ ଦୁବେ ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ କୈଳାଶଚନ୍ଦ୍ର ବେହେରା ସଭାପତିତ୍ତ୍ଵ କରିଥିବା ବେଳେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣି ବାରିକ, ବୌଦ୍ଧ ସହ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପ୍ରବୀର କୁମାର ରଥ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଶ୍ରୀ ଜୟନ୍ତ କୁମାର ପ୍ରଧାନ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ।
ଜିଲ୍ଲାସ୍ତରୀୟ ମେଧା ପରୀକ୍ଷାରେ ସଫଳ ହୋଇଥିବା ବୌଦ୍ଧ ବ୍ଲକର ୪୫ ଜଣ ଶିକ୍ଷାର୍ଥୀଙ୍କୁ ଏହି ଅବସରରେ ସ୍ୱାଗତ କରାଯାଇଥିଲା। ସେମାନଙ୍କ ଶିକ୍ଷାଗତ ଦକ୍ଷତାକୁ ଆହୁରି ଶାଣିତ କରିବା ପାଇଁ ଜିଲ୍ଲାର 60 ଜଣ ଅଭିଜ୍ଞ ବିଷୟଭିତ୍ତିକ ସାଧନକର୍ମୀ ବୋର୍ଡ ପରୀକ୍ଷାର ପ୍ରଶ୍ନଧାରା, ଉତ୍ତର ଉପସ୍ଥାପନ କୌଶଳ, ସମୟ ପରିଚାଳନା, ପରୀକ୍ଷାରେ ମାର୍କ ବୃଦ୍ଧିର ଉପାୟ ଏବଂ ମାନସିକ ଦୃଢ଼ତା ସମ୍ପର୍କରେ ବିସ୍ତୃତ ମାର୍ଗଦର୍ଶନ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଶ୍ରୀ ଦୁବେ ନିଜ ବକ୍ତବ୍ୟରେ କହିଥିଲେ ଯେ, ସଫଳତାର କୌଣସି ସଂକ୍ଷିପ୍ତ ପଥ ନାହିଁ। ନିୟମିତ ଅଧ୍ୟୟନ, ସମୟର ପରିଚାଳନା,ଆତ୍ମବିଶ୍ୱାସ, ଶୃଙ୍ଖଳାବଦ୍ଧ ଜୀବନଶୈଳୀ ଓ ସ୍ମାର୍ଟ ୱାର୍କକୁ ଅଭ୍ୟାସରେ ପରିଣତ କରିପାରିଲେ ଲକ୍ଷ୍ୟ ହାସଲ କରିବା ସହଜ ହେବ। ସେ ଅଭିଭାବକମାନଙ୍କୁ ମଧ୍ୟ ପିଲାଙ୍କ ଶିକ୍ଷାଯାତ୍ରାରେ ସହଭାଗୀ ହେବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ଆଗାମୀ ଶିକ୍ଷଣ କାର୍ଯ୍ୟଯୋଜନା ସମ୍ପର୍କରେ ସୂଚନା ଦିଆଯିବା ସହ ପ୍ରତ୍ୟେକ ସାଧନକର୍ମୀ ଜଣେ ଜଣେ ଶିକ୍ଷାର୍ଥୀଙ୍କୁ ପୋଷ୍ୟଛାତ୍ର ଭାବେ ଗ୍ରହଣ କରି ନିୟମିତ ଶିକ୍ଷାଗତ ସହାୟତା ଯୋଗାଇବେ ବୋଲି ନିର୍ଦ୍ଧାରିତ କରାଯାଇଥିଲା । ଏଥିସହ ନିୟମିତ ଶିକ୍ଷଣ ଶିବିର ଓ ଅଭିଭାବକଙ୍କ ସହ ସମନ୍ୱୟ ଜାରି ରହିବ ବୋଲି ସୂଚନା ଦିଆଯାଇଥିଲା।
ଶେଷରେ ସାଧନକର୍ମୀମାନେ ଶିକ୍ଷାର୍ଥୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବା ସହ ବୋର୍ଡ ପରୀକ୍ଷାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଆବଶ୍ୟକ ଉପଦେଶ ପ୍ରଦାନ କରିଥିଲେ। ଆସନ୍ତା ୭ ଅଗଷ୍ଟରେ କଣ୍ଟାମାଳ ବ୍ଲକରେ ମଧ୍ୟ ଏଭଳି ପ୍ରବେଶ ଓ ସ୍ୱାଗତ ଉତ୍ସବ ଅନୁଷ୍ଠିତ ହେବାର ଯୋଜନା ପ୍ରସ୍ତୁତ କରା ଯାଇଛି l
ଶିକ୍ଷକ ଶ୍ରୀ ଖଗେଶ୍ୱର ମେହେର ସଭା ପରିଚାଳନା କରିଥିବାବେଳେ ବିଜ୍ଞାନ ଶିକ୍ଷକ ଶ୍ରୀ ଦେବବ୍ରତ ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ। ସହକାରୀ ବିଜ୍ଞାନ ନିରୀକ୍ଷକ ପ୍ରବୀଣ ପ୍ରଧାନ ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ସମନ୍ୱିତ ଉଦ୍ୟମରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।
