*ମାତ୍ର ଦୁଇ ଶିକ୍ଷକଙ୍କୁ ନେଇ ଚାଲିଛି କୁଶମାଲ ଜୟଶ୍ରୀ ଜଗନ୍ନାଥ ହାଇସ୍କୁଲ*
ଖଡ଼ିଆଳ(ମିଖାଏଲ ନନ୍ଦ),
ଅଗଷ୍ଟ ୬:
ନୂଆପଡ଼ା ଜିଲ୍ଲାର ଖଡ଼ିଆଳ ବ୍ଲକ ଅନ୍ତର୍ଗତ କୁଶମାଲ ଜୟଶ୍ରୀ ଜଗନ୍ନାଥ ହାଇସ୍କୁଲରେ ଦୀର୍ଘଦିନ ଧରି ଶିକ୍ଷକ ଅଭାବ ଲାଗି ରହିଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବ୍ୟାହତ ହେଉଛି। ବର୍ତ୍ତମାନ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ସମୁଦାୟ ୮୨ ଜଣ ଛାତ୍ରଛାତ୍ରୀଙ୍କୁ କେବଳ ଦୁଇଜଣ ଶିକ୍ଷକଙ୍କ ଭରସାରେ ପଢ଼ାଯାଉଛି। ସେମାନଙ୍କ ମଧ୍ୟରୁ ୩୬ ଜଣ ଛାତ୍ରୀ ରହିଛନ୍ତି।ବିଦ୍ୟାଳୟରେ କାର୍ଯ୍ୟରତ ଦୁଇଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ସଂସ୍କୃତ ଶିକ୍ଷକ, ଯିଏ ବର୍ତ୍ତମାନ ପ୍ରଧାନଶିକ୍ଷକଙ୍କ ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି। ଅନ୍ୟଜଣେ କଳା ବିଭାଗର ଶିକ୍ଷକ। ଏଭଳି ସ୍ଥିତିରେ ସମସ୍ତ ବିଷୟର ପାଠପଢ଼ା ସମ୍ଭବ ହେଉନଥିବାରୁ ଶିକ୍ଷାର ମାନ ପ୍ରଭାବିତ ହେଉଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି।ଶିକ୍ଷକ ନିଯୁକ୍ତି ଦାବିରେ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ) ଓ ଜିଲ୍ଲାପାଳଙ୍କୁ ଏକାଧିକ ଥର ଲିଖିତ ଭାବେ ଅବଗତ କରାଯାଇଛି ବୋଲି ସ୍କୁଲ ପରିଚାଳନା କମିଟି ସଭ୍ୟ ମାନେ କହିଛନ୍ତି। ଚଳିତ ବର୍ଷ ଏପ୍ରିଲ ମାସରେ ଡିଇଓ, ନୂଆପଡ଼ାଙ୍କ କାର୍ଯ୍ୟାଳୟରେ ମଧ୍ୟ ଏକ ଦାବିପତ୍ର ଦାଖଲ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।ଖଡ଼ିଆଳର ପୂର୍ବତନ ବିଧାୟକ ହିତେଶ ବଗର୍ତ୍ତି ମଧ୍ୟ ଏହି ପ୍ରସଙ୍ଗରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। “ଡିଇଓ କହିଛନ୍ତି ଯେ ପ୍ରସଙ୍ଗଟି ବିଚାରାଧୀନ ରହିଛି ଏବଂ ଖୁବ୍ଶୀଘ୍ର ସମାଧାନ କରାଯିବ,” ବୋଲି ବଗର୍ତ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି, “କେବଳ କୁଶମାଲ ବିଦ୍ୟାଳୟ ନୁହେଁ, ଜିଲ୍ଲାର ଅଧିକାଂଶ ଉଚ୍ଚ ବିଦ୍ୟାଳୟରେ ଏଭଳି ଶିକ୍ଷକ ଅଭାବ ରହିଛି। ଏହା ଶିକ୍ଷାର ମାନକୁ ଗୁରୁତର ଭାବେ ପ୍ରଭାବିତ କରୁଛି। ଜିଲ୍ଲା ପ୍ରଶାସନ ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ଆବଶ୍ୟକ।”
