ନିଜ ଗ୍ରାମ ରାସ୍ତା ନିର୍ମାଣ ପାଇଁ ଛାତ୍ରଛାତ୍ରୀ ଙ୍କ ସହ ଗ୍ରାମବାସୀ ଙ୍କ ଧାରଣା
ସୋର,(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ରାସ୍ତାକାମ ପାଇଁ ଟଙ୍କା ମଞ୍ଜୁରୀପରେ ବିଭାଗର ସ୍ଥାଣୁତା ଓ ଅଧିକାରୀଙ୍କ ମନମାନୀ ପାଇଁ ଦିର୍ଘଦିନ ଧରି ରାସ୍ତାକାମ ଆରମ୍ଭ ହେଉନାହିଁ। ବାରମ୍ବାର ଅଭିଯୋଗ ପରେବି କୈଣସି ସୁଫଳ ନମିଳିବାରୁ ଲୋକେ ଅତିଷ୍ଠ ହୋଇ ଆଜି ମଧ୍ୟାହ୍ନରେ ସୋର ଗ୍ରାମ୍ୟଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଆମରଣ ଅନଶନରେ ବସିଥିବା ଦେଖିବାକୁ ମିଳିଛି। ମିଳିଥିବା ସୂଚନା ମୁତାବକ; ସୋର ବ୍ଲକ ମୁଲିସିଂ ପଂଚାୟତ ମାଙ୍ଗେଶ୍ୱରପୁର ରୁ ପୋତାଗଡ଼ିଆ ପର୍ଯ୍ୟନ୍ତ ଯାଇଥିବା ଦୁଇକିମି ମାଟି ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି। ବର୍ଷା ହେବା କ୍ଷଣି ଏହି ରାସ୍ତାରେ ଯାତାୟତ କରିବା ଅସମ୍ଭବ ପ୍ରାୟ। ଦୀର୍ଘ ବର୍ଷର ଏହି ମାଟି ରାସ୍ତା ଉପରେ ବିଭିନ୍ନ ଗ୍ରମାର ହଜାର ହଜାର ଲୋକ ନିର୍ଭରଶୀଳ ଅଟନ୍ତି। କିନ୍ତୁ ବର୍ଷା ଦିନ ଆସିବା କ୍ଷଣି ଲୋକଙ୍କ ମନରେ ରାସ୍ତାର ଛନକା। ଅନେକ ବାର ରାସ୍ତାର ଶୋଚନୀୟ ଅବସ୍ଥା କାରଣରୁ ଲୋକେ ରାସ୍ତାରେ ପଡି ଖଣ୍ଡିଆ ଖାବରା ହେବା ସହିତ ସ୍କୁଲପିଲା ସ୍କୁଲନଯାଇ ଛୁଟିରେ ରୁହନ୍ତି। ଏନେଇ ବାରମ୍ବାର ଅଭିଯୋଗ କରିବା ପରେ ୬କୋଟି ୯୭ଲକ୍ଷରୁ ଅଧିକ ଟଙ୍କାର ବ୍ୟୟରେ ଏହି ରାସ୍ତାକାମ ଗ୍ରାମ୍ୟଉନ୍ନୟନ ବିଭାଗ ପକ୍ଷରୁ କରାଯିବା ପାଇଁ ଅର୍ଥ ମଞ୍ଜୁରୀ ହୋଇଥିଲା। ମାତ୍ର ଦିର୍ଘଦିନ ଧରି କାମ ଆରମ୍ଭ ନହେବାରୁ ଲୋକେ ପୁର୍ବଭଳି ଅସୁବିଧାକୁ ସମ୍ମୁଖିନ ହେଉଛନ୍ତି। ଯାହାକୁ ନେଇ ଆଜି ପୁର୍ବାହ୍ନରେ ଗ୍ରାମବାସୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ସୋର ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମୁଖିରେ ଆମରଣ ଅନସନରେ ବସିଥିଲେ। ଦୀର୍ଘ ସମୟ ପରେ ବିଭାଗୀୟ ଏସଡିଓ ଅଣାକାର ଜେନା ଓ ଜେଇ ବିଜୟ କୁମାର ସ ସେମାନଙ୍କ ନିକଟରେ ପହଞ୍ଚି ଆସନ୍ତା କାଲି ଠାରୁ କାମ ଆରମ୍ଭ ହେବାକୁ ଲିଖିତ ପ୍ରତିଶୃତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ଆଗାମୀ ଏକ ସପ୍ତାହ ମଧ୍ୟରେ ଯଦି ଏହି କାମ ଆରମ୍ଭ ନହୁଏ ତେବେ ଗ୍ରାମବାସୀ ମାନେ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ଚେତାବନୀ ଦେଇଛନ୍ତି।
