ବନ୍ଧୁତା ଦିବସ ଅବସରରେ କବିସମ୍ରାଟ ମିଡ଼ିଆ କ୍ଲବର ନିଆରା କାର୍ଯ୍ୟକ୍ରମ-ବୃକ୍ଷ ରୋପଣ ସହ ବନ୍ଧୁ ମିଳନ।
ଭଞ୍ଜନଗର : ୦୩/୦୮ (ପ୍ରଫୁଲ୍ଲ କୁମାର ମହାରଣା ) ଗଂଜାମ ଜିଲ୍ଲା ଭଞ୍ଜନଗର ଅଞ୍ଚଳର ଅଗ୍ରଣୀ ପଞ୍ଜିକୃତ ସାମ୍ବାଦିକ ସଂଘ କବିସମ୍ରାଟ ମିଡ଼ିଆ କ୍ଲବର ୨୦୨୬ /୨୭ ପାଇଁ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି। ନୂତନ କର୍ମକର୍ତ୍ତା ଚୟନ ପରେ ପ୍ରେସ କ୍ଲବ ପରିସରରେ ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ୧୦ରୁ ଅଧିକ ବୃକ୍ଷରୋପଣ କରାଯାଇଥିଲା। ଏହା ସହିତ ବିଶ୍ୱ ଶାନ୍ତି ପାଇଁ ହୋମର ଆୟୋଜନ କରାଯାଇଥିଲା। ସଭାପତି ପ୍ରଦୀପ କୁମାର ସ୍ୱାଇଁ କର୍ତ୍ତାଭାବେ ହୋମ କାର୍ଯ୍ୟ ପରିଚାଳନା କରିଥିବାବେଳେ ସମସ୍ତ ସଦସ୍ୟ ଉପସ୍ଥିତ ରହି ହୋମ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ହୋମ ସରିବା ପରେ ସମସ୍ତ ସଦସ୍ୟ ମାନେ ଫ୍ରେଣ୍ଡସିପ୍ ଫିତା ପରସ୍ପରକୁ ପିନ୍ଧାଇଥିଲେ। ଭଞ୍ଜନଗର ଅଞ୍ଚଳର ସମସ୍ତ ସାମ୍ବାଦିକମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରକାଶଥାଉକି କବି ସମ୍ରାଟ ମିଡ଼ିଆ କ୍ଲବ ଗଂଜାମ ଜିଲ୍ଲାରେ ଗୋଟିଏ ସ୍ୱତନ୍ତ୍ର ସାମ୍ବାଦିକ ସଂଘ ଭାବେ ସୁନାମ ଅର୍ଜନ କରିଛି। ସମାଜସେବା, ସାମ୍ବାଦିକ ସୁରକ୍ଷା, ରକ୍ତ ଦାନ, ବୃକ୍ଷ ରୋପଣ ଭଳି ଅନେକ ଗୁଡିଏ ମହତ କାର୍ଯ୍ୟକ୍ରମ କରି ସମଗ୍ର ଓଡ଼ିଶାରେ ନିଜର ସ୍ୱତନ୍ତ୍ର ସ୍ଥାନ ପ୍ରତିଷ୍ଠା କରିପାରିଛି। ଯେତେବେଳେ ମଧ୍ୟ ସାମ୍ବାଦିକଙ୍କ ସୁରକ୍ଷା ଓ ଅଧିକାର କଥା ଉଠେ ସେଠାରେ କବିସମ୍ରାଟ ମିଡ଼ିଆ କ୍ଲବ ସ୍ୱର ଉତ୍ତୋଳନ କରିଥାଏ। ଏଣୁ କବିସମ୍ରାଟ ମିଡ଼ିଆ କ୍ଲବ ସମଗ୍ର ଅଞ୍ଚଳବାସୀଙ୍କ ଠାରେ ପ୍ରିୟଭାଜନ ହୋଇପାରିଛି।
