ଫାଣ୍ଡି ଅଧିକାରୀ,ଓଏପିଏଫ କର୍ମଚାରୀ ନିଲମ୍ବିତ
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅଧିନ ଦଦରାଘାଟି ଫାଣ୍ଡିର ଅଧିକାରୀ ଅଜୟ କୁମାର ସାମଲ ଏବଂ ମଧ୍ୟସ୍ଥତା କରୁଥିବା ଓଏପିଏଫ କର୍ମଚାରୀ ଜୟରାମ ଦେହୁରୀ ବାଲି ବ୍ୟବସାୟୀଙ୍କଠାରୁ ମାସିକ ଅର୍ଥ ନେବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ପରେ ଏସ୍ପି ଉଭୟଙ୍କ ବିରୋଧରେ ଏହି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ,ବସୁଲେଇ ଅଞ୍ଚଳର ଜଣେ ବାଲି ବ୍ୟବସାୟୀଙ୍କର ଦୁଇଟି ହାଇୱା ଗାଡ଼ି ନିୟମିତ ବସୁଲେଇ ଘାଟରୁ ବାଲି ପରିବହନ କରୁଥିଲା। ଏହି ଦୁଇଟି ଗାଡ଼ି ବାବଦରେ ପ୍ରତିମାସ ୨୧ ହଜାର ଟଙ୍କା ଦେବାକୁ ଫାଣ୍ଡି ଅଧିକାରୀଙ୍କ ସହ ବ୍ୟବସାୟୀଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଗତ ପାଞ୍ଚ ମାସ ଧରି ଫାଣ୍ଡି ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଓଏପିଏଫ କର୍ମଚାରୀଙ୍କ ଫୋନ୍ ପେ’ ଆକାଉଣ୍ଟକୁ ପ୍ରତିମାସ ୨୧ ହଜାର ଟଙ୍କା ପଠାଯାଉଥିବା ଅଭିଯୋଗ ରହିଛି। ତେବେ ବ୍ୟବସାୟୀଙ୍କ ଏକ ହାଇୱା ଗାଡ଼ି ଖରାପ ହୋଇଯିବାରୁ ତାହା ବଦଳରେ ଅନ୍ୟ ଏକ ଗାଡ଼ି ଗତ ୨୩ ତାରିଖରେ ବାଲି ନେଇ ଦଦରାଘାଟି ଫାଣ୍ଡି ଦେଇ ଯାଉଥିବା ବେଳେ ଫାଣ୍ଡି ଅଧିକାରୀ ଓ ଓଏପିଏଫ କର୍ମଚାରୀ ଏହାକୁ ଅଟକାଇ କାଇଥିଲେ। ପୂର୍ବରୁ ମାସିକ ଅର୍ଥ ଦିଆଯାଉଥିବା ଥିବା ଦୁଇଟି ଗାଡ଼ିର ନମ୍ବର ସହ ଏହି ଗାଡ଼ିର ନମ୍ବର ମେଳ ନଖାଇବାରୁ ଗାଡ଼ି ଛାଡ଼ିବା ପାଇଁ ୫୦ ହଜାର ଟଙ୍କା ଦାବି କରାଯାଇଥିବ ଉଥିବା ଅଭିଯୋଗ ହୋଇଛି। ବ୍ୟବସାୟୀ ଏତେ ଟଙ୍କା ଦେବାକୁ ମନା କରି କୋର୍ଟରୁ ଗାଡ଼ି ମୁକୁଳାଇ ଆଣିବେ ବୋଲି କହିଥିଲେ। ପରେ ଗାଡ଼ିଟିକୁ ଫାଣ୍ଡିରେ ଜବତ କରାଯାଇଥିଲା। ପରବର୍ତ୍ତୀ ସମୟରେ କୋର୍ଟରୁ ରିଲିଜ ଅର୍ଡର ଆଣିବା ପରେ ଗାଡ଼ିରେ ଥିବା ବାଲି ବାବଦରେ ପୁଣି ୫ ହଜାର ଟଙ୍କା ଫୋନ୍ ପେ’ ଜରିଆରେ ଦେଇଥିବା ବ୍ୟବବସାୟୀ ଅଭିଯୋଗ କରିଛନ୍ତି। ପରେ ସମସ୍ତ ପ୍ରମାଣ ଓ ତଥ୍ୟ ସହ ଢେଙ୍କାନାଳ ଏସ୍ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗର ତଦନ୍ତ ପରେ ଏସ୍ପି ଫାଣ୍ଡି ଅଧିକାରୀ ଅଜୟ କୁମାର କୁମାର ସାମଲ ଏବଂ ଓଏପିଏଫ କର୍ମଚାରୀ ଜୟରାମ ଦେହୁରୀଙ୍କୁ ନିଲମ୍ବିତ ନିଜ କରିଥିବା ଜଣାପଡ଼ିଛି। ଉଭୟେ ଏସ୍ପି କାର୍ଯ୍ୟାଳୟରୁ ନିଲମ୍ବନ ଆଦେଶ ପାଇଥିବା ସହ ବାଲି ବ୍ୟବସାୟୀଙ୍କଠାରୁ ଅର୍ଥ ନେଇଥିବା କଥା ସ୍ବୀକାର କରିଥିବା ସୂଚନା ମିଳିଛି। ନିଲମ୍ବନ ସମୟରେ ଉଭୟଙ୍କୁ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
