**ଅଧାପନ୍ତାରିଆ କାର୍ଯ୍ୟରେ ଇବ୍ରିସିଂ ର ନୂତନ ପାଣି ଟାଙ୍କି **
ଜଗତସିଂହପୁର ଜିଲ୍ଲା ତିର୍ତୋଲ ଥାନା ଅଧୀନ ଇବ୍ରିସିଂହ ପଞ୍ଚାୟତର ବଡିଲୋ ଗ୍ରାମରେ ନିର୍ମାଣ ହେଉଥିବା ପାଣି ଟାଙ୍କି କାର୍ଯ୍ୟ ଦୀର୍ଘଦିନ ଧରି ଅଧାରେ ପଡ଼ି ରହିଛି। ଫଳରେ ସ୍ଥାନୀୟ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣର ଆଶା ଅଧୂରା ହୋଇ ରହିଛି। ଏହି ପ୍ରକଳ୍ପ ଶୀଘ୍ର ସମ୍ପୂର୍ଣ୍ଣ କରି କାର୍ଯ୍ୟକ୍ଷମ କରିବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।
ସୂଚନା ଅନୁସାରେ, ଏହା ପୂର୍ବରୁ ଇବ୍ରିସିଂହ ପଞ୍ଚାୟତର କୋତପୁର ଗ୍ରାମରେ ଏକ ପାଣି ଟାଙ୍କି ନିର୍ମାଣ କରାଯାଇଥିଲା। କିନ୍ତୁ ସେହି ଟାଙ୍କିରୁ ଯୋଗାଯାଉଥିବା ପାଣିରେ ଅତ୍ୟଧିକ ଆଇରନ ଥିବାରୁ ତାହା ପିଇବା ପାଇଁ ଅନୁପଯୋଗୀ ବୋଲି ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ। ପାଣିର ରଙ୍ଗ, ଗନ୍ଧ ଓ ଗୁଣବତ୍ତାକୁ ନେଇ ଅସନ୍ତୋଷ ବଢ଼ିବା ସହ ବ୍ୟାପକ ବିରୋଧ ଦେଖାଦେଇଥିଲା।
ଏହାପରେ ପଞ୍ଚାୟତର ଅନ୍ୟ ଏକ ସ୍ଥାନ ବଡିଲୋରେ ନୂତନ ପାଣି ଟାଙ୍କି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଗ୍ରାମବାସୀଙ୍କ ଆଶା ଥିଲା ଯେ, ନୂତନ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ସେମାନେ ନିରାପଦ ଓ ବିଶୁଦ୍ଧ ପାନୀୟ ଜଳ ପାଇପାରିବେ। ମାତ୍ର ଦୁଃଖର ବିଷୟ, ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ପରେ ତାହା ହଠାତ୍ ବନ୍ଦ ହୋଇଯାଇଛି ଏବଂ ଦୀର୍ଘ ସମୟ ଧରି ଅଧାରେ ପଡ଼ି ରହିଛି।
ବର୍ତ୍ତମାନ ଗ୍ରାମବାସୀ ବାଧ୍ୟ ହୋଇ କୂଅ, ନଳକୂପ ଓ ଅନ୍ୟାନ୍ୟ ଉତ୍ସରୁ ପାଣି ସଂଗ୍ରହ କରୁଛନ୍ତି। ବର୍ଷା ଋତୁରେ ପାନୀୟ ଜଳର ଗୁଣବତ୍ତା ନେଇ ଚିନ୍ତା ବଢ଼ିଥିବାବେଳେ ବିଶୁଦ୍ଧ ପାଣିର ଅଭାବ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛି। ସରକାରଙ୍କ “ଘରେ ଘରେ ବିଶୁଦ୍ଧ ପାନୀୟ ଜଳ” ଯୋଜନା ସତ୍ତ୍ୱେ ପ୍ରକଳ୍ପର ବିଳମ୍ବ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ାଇଛି।
ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ନିର୍ମାଣ କାର୍ଯ୍ୟ ଅଧାରେ ଛାଡ଼ି ଦିଆଯାଇଥିବାରୁ ସରକାରୀ ଅର୍ଥ ଅପଚୟ ହେଉଛି। ସେମାନେ ଦାବି କରିଛନ୍ତି ଯେ, ସମ୍ପୃକ୍ତ ବିଭାଗ ତୁରନ୍ତ ହସ୍ତକ୍ଷେପ କରି କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରନ୍ତୁ ଏବଂ ଶୀଘ୍ର ପାଣି ଟାଙ୍କିକୁ ସମ୍ପୂର୍ଣ୍ଣ କରି ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବାର ବ୍ୟବସ୍ଥା କରନ୍ତୁ।
ଏବେ ଦେଖିବାକୁ ବାକି ରହିଲା, ସମ୍ପୃକ୍ତ ବିଭାଗ ଏହି ଗୁରୁତର ସମସ୍ୟା ପ୍ରତି କେତେ ଶୀଘ୍ର ପଦକ୍ଷେପ ନେଉଛି ଏବଂ ବର୍ଷ ଧରି ବିଶୁଦ୍ଧ ପାନୀୟ ଜଳର ଅପେକ୍ଷା କରୁଥିବା ଇବ୍ରିସିଂହ ପଞ୍ଚାୟତବାସୀ କେବେ ଏହାର ସୁବିଧା ପାଇପାରୁଛନ୍ତି।
