ରାମ ମନ୍ଦିର ଟ୍ରଷ୍ଟରେ ଅର୍ଥ ଆତ୍ମସାତ ବିରୋଧରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
ବାରିପଦା, ମୟୁରଭଞ୍ଜ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ମଙ୍ଗଳବାର ବାରିପଦା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଜିଲ୍ଲା ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ ଅଯୋଧ୍ୟା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟରେ କଥିତ ଅର୍ଥ ଓ ସ୍ୱର୍ଣ୍ଣ ଅଳଙ୍କାର ଆତ୍ମସାତ ଘଟଣାକୁ କଂଗ୍ରେସ ନେତୃବୃନ୍ଦ ବିରୋଧ କରିବା ସହିତ ନିନ୍ଦା କରିଥିଲେ।
ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ବାରିପଦା ବାର ଆସୋସିଏସନର ସଭାପତି ଜ୍ୟୋତି ପ୍ରକାଶ ରଥ, କଂଗ୍ରେସ ଆଦିବାସୀ ସେଲର ରାଜ୍ୟ ଉପାଧ୍ୟକ୍ଷ ଚୈତନ ହାଁସଦା ଏବଂ ଜିଲ୍ଲା କଂଗ୍ରେସ ଉପସଭାପତି ନାରାୟଣ ପଟ୍ଟନାୟକ କହିଥିଲେ ଯେ, ରାମ ଜନ୍ମଭୂମି ଟ୍ରଷ୍ଟରେ ଭକ୍ତମାନଙ୍କ ଦ୍ୱାରା ଦାନ କରାଯାଇଥିବା ହଜାର ହଜାର କୋଟି ଟଙ୍କା ଓ ସ୍ୱର୍ଣ୍ଣ ଅଳଙ୍କାର ର ଲୁଟ୍ କୁ ଘୋର ନିନ୍ଦା କରିଛନ୍ତି। ସେମାନେ ଏହାକୁ ଏକ ଲଜ୍ଜାଜନକ ଘଟଣା ଭାବରେ ଚିତ୍ରଣ କରିଛନ୍ତି। ଘଟଣାର ନିରପେକ୍ଷ ତଦନ୍ତ ସହିତ ଏହାର ଚେର ଆହୁରି ଉପର ପର୍ଯ୍ୟନ୍ତ ଯାଇଥିବା ଦାବି କରିଥିଲେ।
ଜିଲ୍ଲା କଂଗ୍ରେସ ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଅଭିଯୋଗ କରି କହିଥିଲେ ଯେ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତା ଦୁର୍ଭାଗ୍ୟଜନକ ଏବଂ ଏହା ଭକ୍ତମାନଙ୍କର ଆସ୍ଥା ଓ ଭାବାବେଗ ସହ ବିଶ୍ୱାସଘାତ ସଦୃଶ। ସେ ଘଟଣାର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆଣିବା ପାଇଁ ସ୍ୱଚ୍ଛ ତଦନ୍ତର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
ଏହି ସାମ୍ବାଦିକ ସମ୍ମିଳନୀରେ ସଞ୍ଜୀବ କୁମାର ପଣ୍ଡା, ଅସିତ ଦାସ, ବନମାଳୀ ବାରିକ, ରଣା ସତ୍ୟକାମ ସେନାପତି, ପ୍ରଫୁଲ୍ଲ ଦାସ, ଚନ୍ଦନ କିସ୍କୁ, ରତନ ମହାନ୍ତ, ସୁନାରାମ ସୋରେନ, ଉତ୍ତମ ବେହେରା, ଶଶୀ ଯାଦବ, ଅଭିଷେକ ଯାଦବ, ନାରୀ ନେତ୍ରୀ ସବିତା ସୋରେନ, ସମର ଦାସ, ଜୀବନ ବାରିକ,ଅନୁସୂଚିତ ଜାତି ସେଲର ଜିଲ୍ଲା ସଭାପତି ସସ୍ମିତା ବେହେରାଙ୍କ ସମେତ ବହୁ କଂଗ୍ରେସ କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ।
ମୟୂରଭଞ୍ଜରୁ ମୋନାଲି ସାହୁଙ୍କ ରିପୋର୍ଟ ଭଞ୍ଜଦୂତ ଖବର
