ଏପିଏସ ଟଙ୍କା ଫେରସ୍ତ ପାଇଁ ଧାରଣା ରେ ବସିବେ ଠିକାଦାର
ମୋରଡା,ମୟୂରଭଞ୍ଜ ଜିଲା ମୋରଡା ବ୍ଲକ ରେ ମନମୁଖୀ କାର୍ଯ୍ୟକଳାପ ଯୋଗୁଁ ଜଣେ ତୃତୀୟ ଶ୍ରେଣୀ ଠିକାଦାର ବେଶ ହଇରାଣ ହରକତ ହେଉଥିବାର ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଉକ୍ତ ବ୍ଲକ ଅଧୀନ ଗଡିଗାଁ ଗ୍ରାମରେ ମୋହନ ଦାସ ନାମକ ଠିକାଦାର ଉକ୍ତ ବ୍ଲକ ଅଧୀନ ପଳାସମୁଣ୍ଡୁଳି ଗ୍ରାମ ପଞ୍ଚାୟତର ଖୁରୁଣ୍ଟିଆ ସ୍ୱାସ୍ଥ୍ୟ ଉପକେନ୍ଦ୍ର କୋଠା ନିର୍ମାଣ କାର୍ଯ୍ୟ ସମାପ୍ତ କରି ବିଭାଗକୁ ହସ୍ତାନ୍ତର କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଠିକାଦାରଙ୍କୁ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଡିଓ ଙ୍କୁ ଠିକାଦାର ବନ୍ଧକ ଦେଇଥିବା ବ୍ୟାଙ୍କ ଫିକ୍ସ ଜମା ଟଙ୍କା ପ୍ରଦାନ କରାଯାଇନଥିବାର ଦାସ ଅଭିଯୋଗ କରିଛନ୍ତି। ଯାହାକୁ ନେଇ ସେ ବିଡିଓଙ୍କୁ ତାଙ୍କ ଏପିଏସ ଟଙ୍କା ଆଗାମୀ ୨୨ ତାରିଖ ମଧ୍ୟରେ ପ୍ରଦାନ କରାନଗଲେ ସେ ବିଡ଼ିଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବେ ବୋଲି ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି।
ସୂଚନା ଅନୁଯାୟୀ, ୨୦୨୩ ମସିହାରେ ମୋରଡା ବିଡ଼ିଓ ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ନିମନ୍ତେ ଟେଣ୍ଡର ଆହ୍ୱାନ କରିଥିଲେ। ତେବେ କଣ୍ଟ୍ରାକ୍ଟର ମୋହନ ଦାସ ୨୮ଲକ୍ଷ ୭୨ହଜାର ୨ଶହ ୬୫ଟଙ୍କା ର ବ୍ୟୟ ଅଟକଳ ଥିବା ଖୁରୁଣ୍ଟିଆ ସ୍ୱାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ ନିମନ୍ତେ ଲୋଟେରୀ ମାଧ୍ୟମରେ ଚୟନ ହୋଇଥିଲେ। ତତ୍ପରେ ଓପିଡବ୍ଲୁଡି କୋଡ଼ ଅନୁସାରେ ବିଡ଼ିଓ ମୋରଡା ତାଙ୍କୁ ଚିଠି ନମ୍ବର:-୯୯୫ ରେ ମୋରଡା ବିଡ଼ିଓ ଙ୍କ ନାମ ରେ ୭ଲକ୍ଷ ୫୯ହଜାର ୭ଶହ ୯ଟଙ୍କା ବ୍ୟାଙ୍କ ରେ ଫିକ୍ସ ଡିପୋଜିଟ କରି କାର୍ଯ୍ୟାଳୟ ରେ ସମସ୍ତ କାଗଜପତ୍ର ଦାଖଲ କରି କାର୍ଯ୍ୟ ଆରମ୍ଭ କରିବାକୁ ଚିଠି କରିଥିଲେ।ତେବେ ଓପିଡବ୍ଲୁଡି କୋଡ଼ ଅନୁସାରେ କାର୍ଯ୍ୟ ସରିବା ପରେ ସମସ୍ତ ଏପିଏସ ବନ୍ଧକ ଟଙ୍କା ମୋରଡା ବିଡ଼ିଓ ଠିକାଦାରଙ୍କୁ ଫେରାଇବା କଥା କିନ୍ତୁ କୋଠା ହସ୍ତାନ୍ତର ହେବାର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ କଣ୍ଟ୍ରାକ୍ଟର ବ୍ଲକ ଧାଇଁ ଧାଇଁ ନୟାନ୍ତ ହୋଇ ନିଜର ଟଙ୍କା ଫେରି ପାଇନାହାନ୍ତି।ଯାହାକୁ ନେଇ ସେ ଦୀର୍ଘ ଦେଢ଼ ମାସ ପୂର୍ବେ ମଧ୍ୟ ଏପିଏସ ଟଙ୍କା ଫେରସ୍ତ ନେଇ ଲିଖିତ ପତ୍ର ପ୍ରଦାନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରିନାହିଁ ବୋଲି ଅଭିଯୋଗ ପତ୍ର ରେ ଉଲ୍ଲେଖ ରହିଛି।
ମୟୂରଭଞ୍ଜରୁ ମୋନାଲୀ ସାହୁଙ୍କ ରିପର୍ଟ ଭଞ୍ଜଦୂତ ଖବର
