ରଙ୍ଗ ତୁଳୀ ରେ ଲେଖା ହୋଇଲା ମହାପ୍ରଭୁ ଜଗନ୍ନାଥଙ୍କ ଚିତ୍ର।
ଜଗତସିଂହପୁର(ନି.ପ୍ର): ପବିତ୍ର ରଥଯାତ୍ରା ଉପଲକ୍ଷେ ସରଞ୍ଚନା ଚାରିଟେବୁଲ୍ ଟ୍ରଷ୍ଟ ଓ ପ୍ରଥମା ଫାଉଣ୍ଡେସନ ମିଳିତ ଉଦ୍ୟମ କ୍ରମେ ଆଦିକବି ସାରଳା ଦାସ ସଂସ୍କୃତି ଭବନରେ ଜଗତସିଂହପୁର ଚିତ୍ରକଳା ଉତ୍ସବ ‘ତୂଳୀ କହେ କଥା-୨୦୨୬’ ଅନୁଷ୍ଠିତ ହୋଇଯାଇଛି। ପ୍ରାଥମିକ ବିଦ୍ୟାଳୟସ୍ତରରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବର୍ଷା ଲାଗିରହିଥିଲେ ବି ସକାଳ ୯ଟାରେ ପଞ୍ଜିକରଣ ପାଇଁ ଲମ୍ବା ଧାଡ଼ି ଲାଗିଥିଲା ଓ ସକାଳ ୧୦ଟାରୁ ୧୧ଟା ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ‘କନିଷ୍ଠ’ ବିଭାଗରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଛାତ୍ରଛାତ୍ରୀ ‘ଶ୍ରୀଜଗନ୍ନାଥ’, ଷଷ୍ଠରୁ ଦଶମ ଶ୍ରେଣୀ ମଧ୍ୟମ ବିଭାଗ ଛାତ୍ରଛାତ୍ରୀ ‘ଭାବରେ ବନ୍ଧା ଶ୍ରୀଜଗନ୍ନାଥ’ ଏବଂ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବରିଷ୍ଠ ବର୍ଗରେ ‘ଲୀଳାମୟ ଶ୍ରୀଜଗନ୍ନାଥ’ ବିଷୟବସ୍ତୁ ଉପରେ ଚିତ୍ର ଆଙ୍କିଥିଲେ। ବିଶିଷ୍ଟ ଚିତ୍ରଶିଳ୍ପୀ ଗୁରୁ ସୁରେଶ କୁମାର ଚୌଧୁରୀ ଓ ଗୁରୁ ବିଶ୍ବଜିତ ବସ୍ତିଆ ବିଚାରକ ଭାବେ ଯୋଗଦେଇ ମୂଲ୍ୟାୟନ କରିଥିଲେ। ଏଥିରେ କନିଷ୍ଠ ବିଭାଗରେ ସୁଶ୍ରୀ ସାଇସ୍ମିତା ସାହୁ ପ୍ରଥମ, ସୁଶ୍ରୀ ଦିବ୍ୟଲକ୍ଷ୍ମୀ ସାହୁ ଦ୍ୱିତୀୟ, ସୁଶ୍ରୀ ସାଇ ସୁଲଗ୍ନା ବରାଳ ତୃତୀୟ, ମଧ୍ୟମ ବିଭାଗରେ ସୁଶ୍ରୀ ବର୍ଷା ପ୍ରିୟଦର୍ଶିନୀ ବେହେରା ପ୍ରଥମ, ସିନ୍ଧୁକେଶ୍ୱର ସ୍ୱାଇଁ ଦ୍ୱିତୀୟ, ଆଶୁତୋଷ ଆତ୍ମାରାମ ରାଉତ ତୃତୀୟ ଏବଂ ବରିଷ୍ଠ ବିଭାଗରେ ପ୍ରିୟାଂଶୁ ନନ୍ଦ ପ୍ରଥମ, ସୁଶ୍ରୀ ସୁଚିତ୍ରା ପଣ୍ଡା ଦ୍ୱିତୀୟ, ସୁଶ୍ରୀ ରିତିକା ନାୟକ ତୃତୀୟ ସ୍ଥାନ ଅଧିକାର କରିଥିଲେ। ସନ୍ଧ୍ୟାରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରୀୟ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଓ ଜଗତସିଂହପୁର ପୌରାଧ୍ୟକ୍ଷାତ ଅର୍ଚ୍ଚନା ସିଂହ ଯୋଗଦେଇ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କାର ରାଶି ସହ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଏଥିସହ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ପ୍ରତିଯୋଗିତଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ‘ପ୍ରଥମା’ର ଅଧ୍ୟକ୍ଷ ସୋମନାଥ ପରିଡ଼ା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସରଞ୍ଚନା ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ସଂଜୀବ ବରାଳ କାର୍ଯ୍ୟକ୍ରମ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରଥମା ଫାଉଣ୍ଡେସନର ସଭାପତି ପ୍ରଫେସର ଚିନ୍ମୟୀ ମହାନ୍ତି, ସଂଯୋଜକ ସତ୍ୟବ୍ରତ ବିଶ୍ବାଳ, ସରୋଜ କୁମାର ଦ୍ବିବେଦୀ, ଶିକ୍ଷାବିତ୍ ସୁଭାଷ ଚନ୍ଦ୍ର ରାଉତ, ଦୁର୍ଗାଚରଣ ସ୍ବାଇଁ, ବିଜୟ କୁମାର ରାଉତ, ଅଜୟ କୁମାର ଗୋଚ୍ଛାୟତ, କବି ରମେଶ ଚନ୍ଦ୍ର ବେହେରା, ନିବେଦିତା ମହାନ୍ତି, ସୁଦୀପ୍ତ ପରିଡ଼ା, ଆଇନଜୀବୀ ନରେଶ ଦାସ, ପ୍ରଦୀପ୍ତ ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
