ସାରସକଣା/ ଜାମଶଳା (ଅନିଲ କୁମାର ସାହୁ ) : ଏଣିକି ଯଦି ବନ୍ୟଜନ୍ତୁଙ୍କ ଆକ୍ରମଣରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ହେଉଛି ତେବେ ରାଜ୍ୟ ସରକାର ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ଆନୁକମ୍ପାମୂଳକ ସହୟତା ମିଳିବ।ସେହିପରି ଯଦି ବନ୍ୟଜନ୍ତୁଙ୍କ ଆକ୍ରମଣରେ କାହାରି ଘର ସମ୍ପୂର୍ଣ୍ଣ ଭାଙ୍ଗୁଛି ତେବେ ତାଙ୍କୁ ରାଜ୍ୟ ସରକାର ପକ୍ଷରୁ ଅନ୍ତ୍ର୍ୟାଦୟ ଯୋଜନାରେ ଘର ମିଳିବ।ଘର ଆଂଶିକ ଭାଙ୍ଗି ଥିଲେ ମରାମତି ପାଇଁ ୧୦ ହଜାର ଟଙ୍କା,ଘରର ରୋଷେଇ ଘର, ଧାନ ଗୋଦାମ,ଗୁହାଳ,ଛେଳି ଘର ଭାଙ୍ଗି ଥିଲେ ୩ ହଜାର ଟଙ୍କା,ପକ୍କା ପାଚେରୀ ଭାଙ୍ଗି ଥିଲେ ପ୍ରତି ମିଟର ପିଛା ୫ ହଜାର ଟଙ୍କା ମିଳିବ।ହେଲେ ପାଚେରୀ ବାବଦକୁ ସର୍ବାଧିକ ୨୫ ହଜାର ଟଙ୍କା ମିଳିବ। ବନ୍ୟପ୍ରାଣୀ (ସୁରକ୍ଷା)(ଓଡ଼ିଶା)ନିୟମ:୧୯୭୪ ର ନିୟମ ୪୫- କେକେ ଦ୍ୱାରା ପ୍ରଦତ୍ତ କ୍ଷମତା ପ୍ରୟୋଗ କରି,ରାଜ୍ୟ ସରକାରଙ୍କ ଜଙ୍ଗଲ,ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ବନ୍ୟଜନ୍ତୁଙ୍କ ଦ୍ଵାରା କ୍ଷୟକ୍ଷତି କ୍ଷେତ୍ରରେ ଅନୁକମ୍ପାମୂଳକ ଦେୟର ସଂଶୋଧିତ ବିଜ୍ଞପ୍ତି ଜାରି କରିଛନ୍ତି।
