ଖୁସିର ମାହୋଲରେ ବିଷାଦ: ବାହାଘର ଭୋଜି ଖାଇ ୪୦ରୁ ଅଧିକ ଆକ୍ରାନ୍ତ, ଫୁଡ୍ ପଏଜନିଂ ଆଶଙ୍କା
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ବାହାଘର ଭୋଜି ଖାଇ ୪୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କିଛି ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନେକ ଏବେବି ଚିକିତ୍ସିତ ଅବସ୍ଥାରେ ଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ; ସୋର ବ୍ଲକ ପାଖର ପଞ୍ଚାୟତ ଗୋପୀନାଥପୁର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଗତ ଶୁକ୍ରବାର ରାତିରେ ବାହାଘର ଭୋଜି ଦିଆଯାଇଥିଲା। ଏଥିରେ ଖାଦ୍ୟ ଖାଇଥିବା ଶତାଧିକ ଲୋକଙ୍କ ମଧ୍ୟରୁ ଶନିବାର ସକାଳେ ୨୫ରୁ ଅଧିକ ପୁରୁଷ ଓ ମହିଳା ଅସୁସ୍ଥ ହୋଇ ଅନନ୍ତପୁର ଓ ପରେ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲା। ସେହିପରି ରବିବାର ସକାଳୁ ତେଣ୍ଟେଇ ଗ୍ରାମର ଅଜୟ ବେହେରା,ଗୋପାଳପୁରର ଆକାଂକ୍ଷା ସେଠି,ନରେନ୍ଦ୍ର ମହାଳିକ,ଅଇଁରୀ ଗ୍ରାମର ସୁକାନ୍ତି ବିଶ୍ୱାଳ,ଭଦ୍ରକ ଅଞ୍ଚଳର ଉତ୍ତମ ଘଡେଇ , ଗୋପିନାଥପୁର ଗ୍ରାମର ମଙ୍ଗଳି ମଳିକ,ସୁଧାଂଶୁ ଶେଖର ମଳିକ, ରାଜଲକ୍ଷ୍ମି ମଳିକ, ବୈଶାଳୀ ମହାଳିକ,ରାଜେନ୍ଦ୍ର ମହାଳିକ, ତପନ ସାହୁ ଓ ତେଣ୍ଟେଇ ଗ୍ରାମର ଉଷା ମଳିକ ପ୍ରମୁଖଙ୍କ ସମେତ ୧୫ରୁ ଅଧିକ ଲୋକ ଅସୁସ୍ଥ ହୋଇ ଅନନ୍ତପୁର ଡାକ୍ତରଖାନାରେ ଭର୍ତି ହୋଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଲୋକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେବି ୧୫ରୁ ଅଧିକ ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି।
