ବହୁ ଚର୍ଚ୍ଚିତ ଅଡ଼ବାରୁ ହାଇଦ୍ରାବାଦକୁ ମାନବ ଚାଲାଣ ମାମଲାରେ ମୁଖ୍ୟ ଅଭିଯୁକ୍ତଙ୍କ ଜିଲ୍ଲା ନ୍ୟାୟାଳୟରେ ଜାମିନ ଖାରଜ।
ଗଜପତି (ଟିକି ଲିମା)
ମାନବ ଚାଲାଣ ଏକ ଧର୍ତ୍ତବ୍ୟ ଅପରାଧ ହୋଇଥିଲେ ମଧ୍ୟ ଏହାକୁ ଖାତିର ନ କରି ଲୁଚାଛପାରେ ମାନବ ଚାଲାଣ ଜାରିରହିଛି। ସେହିଭଳି ଏକ ସମ୍ବେଦନଶୀଳ ମାମଲାର ଖବର ପାଇ ଅଡ଼ବା ପୋଲିସ ଅତିରିକ୍ତ ଆଇ.ଆଇ.ସି. ନଳିନୀ କୁମାରୀ କଁଅରଙ୍କ ନେତୃତ୍ୱରେ କାଳ ବିଳମ୍ବ ନ କରି ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଆଇ.ପି.ଏସ. ପ୍ରହଲ୍ଲାଦ ସହାୟ ମୀନା ତଥା ଆର. ଉଦୟଗିରି ଏସ୍ଡିପିଓ ଆଇ.ପି.ଏସ. ରାକେଶ କୁମାର ସାହୁଙ୍କ ପରାମର୍ଶରେ ଏକ ପୋଲିସ ଦଳ ହାଇଦ୍ରାବାଦ ଯାଇ ବିଭିନ୍ନ ସ୍ଥାନରେ ଛାପା ମାରିବା ପରେ ଅଭିଯୁକ୍ତ ଈଶ୍ୱର କୁଶୁଲିୟା ତଥା ମୁଖ୍ୟ ଅଭିଯୁକ୍ତ ହାଇଦ୍ରାବାଦ ନିବାସୀ ସରିତା ଜୈନଙ୍କୁ ଗିରଫ କରିବା ସହ ସେଠାରୁ ୭ଜଣ ବାଳିକାଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ୬ଜଣ ନାବାଳିକା ରହିଥିଲେ। ପରେ ସେମାନଙ୍କୁ ମୋହନା ଅଦାଲତରେ ହାଜର କରାଯାଇଥିଲା ଓ ଅଭିଯୁକ୍ତଙ୍କର ଜାମିନ ଆବେଦନ ଖାରଜ ହେବାରୁ ସେମାନଙ୍କୁ କାରାଗାରକୁ ପଠାଯାଇଥିଲା।
ପରେ ଆଜି ଅଭିଯୁକ୍ତଙ୍କ ପକ୍ଷରୁ ଜିଲ୍ଲା ନ୍ୟାୟାଳୟର ଜିଲ୍ଲା ଓ ଦୌରା ଜଜ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ନିକଟରେ ଜାମିନ ଆବେଦନର ଶୁଣାଣି ନିମନ୍ତେ ତାରିଖ ଧାର୍ଯ୍ୟ କରାଯାଇଥିଲା। ଏଥିରେ ଅଭିଯୁକ୍ତମାନଙ୍କ ପକ୍ଷରୁ ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଓକିଲ ତଥା ହାଇଦ୍ରାବାଦରୁ ଆସିଥିବା ଓକିଲମାନେ ନିଜର ପକ୍ଷ ରଖି ଯୁକ୍ତି ବାଢିବା ବେଳେ ଜିଲ୍ଲା ନ୍ୟାୟାଳୟରେ ପଦସ୍ଥ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ସରକାରଙ୍କ ପକ୍ଷରୁ ଉକ୍ତ ମାମଲାଟି ପରିଚାଳନା କରୁଥିଲେ ଓ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ମଣ୍ଡଳା ଲୋକନାଦମ ତାଙ୍କୁ ଏଥିରେ ଯଥାର୍ଥ ସହଯୋଗ କରିଥିଲେ। ପ୍ରାୟ ଚାଳିଶ ମିନିଟ ଧରି ଚାଲୁ ରହିଥିବା ଏହି ତର୍କ ବିତର୍କରେ ସମାଜରେ ମହିଳା ତଥା ଶିଶୁଙ୍କ ଅବହେଳିତ ଅବସ୍ଥା କଥା ତଥା ଗଜପତି ଜିଲ୍ଲାରୁ ବିଭିନ୍ନ ସମୟରେ ହେଉଥିବା ମାନବ ଚାଲାଣ ଉପରେ ବିଶେଷ ଭାବେ ଆଲୋଚନା କରାଯିବା ସହ ଏଠାରେ ଗିରଫ ହୋଇଥିବା ବ୍ୟକ୍ତିଙ୍କର ଅଧିକାର ବିଷୟରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ ପୂର୍ବରୁ ସଚେତନ କରାଇବା ନେଇ ଆଲୋଚନା କରାଯାଇଥିଲା। ପରେ ସର୍ବଶେଷରେ ମାନ୍ୟବର ବିଚାରପତି, ନ୍ୟାୟିକ ଅଧିକାରୀଙ୍କ ନିକଟରେ ଦେଇଥିବା ସମସ୍ତ ପିଡିତାଙ୍କ ବୟାନକୁ ନଜରରେ ରଖି ତଥା ରାଜ୍ୟର ଶିଶୁମାନଙ୍କ ଭବିଷ୍ୟତ କଥା ଚିନ୍ତା କରି ଓ ବଳିଷ୍ଠ ପ୍ରମାଣ ଆଧାରକୁ ନଜରରେ ରଖି ଉକ୍ତ ଦୁଇ ଅଭିଯୁକ୍ତଙ୍କର ଜାମିନ ଖାରଜ କରିଥିଲେ। ଉକ୍ତ ମାମଲାର ତଦନ୍ତକାରୀ ଅଧିକାରୀ ନଳିନୀ କୁମାରୀ କଁଅର ରହିଥିଲେ।
