ବୌଦ୍ଧ ଜିଲ୍ଲାରେ ପୋଷ୍ଟ-ଡ୍ରାଫ୍ଟ ପର୍ଯ୍ୟାୟ ପାଇଁ ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜର ମାନଙ୍କ ପାଇଁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ l
ବୌଦ୍ଧ, ତା. ୧୩ /୦୭ ଭାରତ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ଭୋଟର ତାଲିକା ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମର ପୋଷ୍ଟ-ଡ୍ରାଫ୍ଟ ପର୍ଯ୍ୟାୟକୁ ସଫଳ ଓ ତ୍ରୁଟିମୁକ୍ତ ଭାବେ ସମ୍ପାଦନ କରିବା ଉଦ୍ଦେଶ୍ୟରେ ବୌଦ୍ଧ ଜିଲ୍ଲାର ଉଭୟ ବିଧାନସଭା ନିର୍ବାଚନମଣ୍ଡଳୀର ବିଏଲ୍ଓ (Booth Level Officer) ଏବଂ ବିଏଲ୍ଓ ସୁପରଭାଇଜରମାନଙ୍କ ପାଇଁ ପୋଷ୍ଟ-ଡ୍ରାଫ୍ଟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ତଥା ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ଅନିରୁଦ୍ଧ ପଧାନଙ୍କ ତତ୍ତ୍ୱାବଧାନରେ ଏହା ସମ୍ପନ୍ନ ହୋଇଥିଲା।
୮୬-ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଅତିରିକ୍ତ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ତଥା ତହସିଲଦାର ଶ୍ରୀମତୀ ଅନୀତା ସାହୁ,ଡେପୁଟି କଲେକ୍ଟର ନିର୍ବାଚନ ମନସିତ ସ୍ୱରୂପ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ସେହିପରି ୮୫-କଣ୍ଟାମାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜରମାନଙ୍କୁ
ଏହି ପ୍ରଶିକ୍ଷଣ ନିର୍ବାଚନ ପଞ୍ଜିକରଣ ଅଧିକାରୀ (ERO) ତଥା ଉପଜିଲ୍ଲାପାଳ ବିନୟ କୁମାର ଭୋଇ ଏବଂ ଅତିରିକ୍ତ ସହକାରୀ ନିର୍ବାଚନ ପଞ୍ଜିକରଣ ଅଧିକାରୀ (AERO) ତଥା ତହସିଲଦାର ଶ୍ରୀମତୀ ଶ୍ୱେତପଦ୍ମା ଯୋଶୀ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ହରଭଂଗା ବ୍ଲକ୍ ରେ ମଧ୍ୟ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏହି କର୍ମଶାଳା ଆୟୋଜିତ ହୋଇଥିଲା l ପ୍ରଶିକ୍ଷଣରେ ପୋଷ୍ଟ-ଡ୍ରାଫ୍ଟ ପର୍ଯ୍ୟାୟରେ ବିଏଲ୍ଓମାନଙ୍କର ଭୂମିକା, ଖସଡ଼ା ଭୋଟର ତାଲିକା ପ୍ରକାଶ ପରେ ଦାଖଲ ହେଉଥିବା ଦାବି ଓ ଆପତ୍ତିର ସଠିକ୍ ଗ୍ରହଣ ଓ ଯାଞ୍ଚ, ନିର୍ଦ୍ଧାରିତ ପ୍ରପତ୍ରଗୁଡ଼ିକର ସଠିକ୍ ପୂରଣ, କ୍ଷେତ୍ରସ୍ତରରେ ଯାଞ୍ଚ ପ୍ରକ୍ରିୟା, ମୃତ, ସ୍ଥାନାନ୍ତରିତ ଏବଂ ଦ୍ୱିତୀୟ ନାମଭୁକ୍ତି ସମ୍ବନ୍ଧୀୟ ମାମଲାର ଯାଞ୍ଚ, ସମୟବଦ୍ଧ ଭାବେ ଅନଲାଇନ୍ ଏଣ୍ଟ୍ରି ଓ ରିପୋର୍ଟ ଦାଖଲ, ଏବଂ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳୀର କଡ଼ାକଡ଼ି ପାଳନ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଅଧିକାରୀମାନେ କହିଥିଲେ ଯେ ପୋଷ୍ଟ-ଡ୍ରାଫ୍ଟ ପର୍ଯ୍ୟାୟ ଭୋଟର ତାଲିକାର ସ୍ୱଚ୍ଛତା, ସଠିକତା ଏବଂ ନିର୍ଭୁଲତା ସୁନିଶ୍ଚିତ କରିବାରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରତ୍ୟେକ ବିଏଲ୍ଓ ଓ ବିଏଲ୍ଓ ସୁପରଭାଇଜର ନିଜ ଦାୟିତ୍ୱକୁ ସମ୍ପୂର୍ଣ୍ଣ ନିଷ୍ଠା, ସ୍ୱଚ୍ଛତା ଓ ନିରପେକ୍ଷତାର ସହିତ ପାଳନ କରି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ପରାମର୍ଶ ଦିଆଯାଇଥିଲା।
ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉଭୟ ନିର୍ବାଚନମଣ୍ଡଳୀର ସମସ୍ତ ବିଏଲ୍ଓ, ବିଏଲ୍ଓ ସୁପରଭାଇଜର ଏବଂ ନିର୍ବାଚନ ଶାଖାର କର୍ମଚାରୀମାନେ ଉପସ୍ଥିତ ରହି ପୋଷ୍ଟ-ଡ୍ରାଫ୍ଟ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଆବଶ୍ୟକୀୟ ପ୍ରଶିକ୍ଷଣ ଗ୍ରହଣ କରିଥିଲେ।
