ବେଆଇନ ଭାବେ ମୟୂର କଏଦ ଅଭିଯୋଗ: ବନ ବିଭାଗରେ ବିଜେପିର ଫେରାଦ, ନିରପେକ୍ଷ ତଦନ୍ତ ଦାବି
ତାଳଚେର: 13/7,ତାଳଚେର ବିଧାୟକଙ୍କ ବାସଭବନରେ ଜାତୀୟ ପକ୍ଷୀ ମୟୂର ସମେତ ଅନ୍ୟାନ୍ୟ ବନ୍ୟପକ୍ଷୀଙ୍କୁ ବେଆଇନ ଭାବେ କଏଦ କରି ରଖାଯାଇଥିବା ଏବଂ ବିଦେଶୀ ପକ୍ଷୀଙ୍କୁ ମଧ୍ୟ ଆଣି କଏଦରେ ରଖାଯାଉଥିବା ଅଭିଯୋଗକୁ ନେଇ ଭାରତୀୟ ଜନତା ପାର୍ଟି (ବିଜେପି) ପକ୍ଷରୁ ତାଳଚେର ଉପଖଣ୍ଡ ବନ ବିଭାଗ କାର୍ଯ୍ୟାଳୟରେ ଡିଏଫଓଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି।
ଜିଲ୍ଲା ବିଜେପି ସଭାପତି ଯଯାତି କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏକ ପ୍ରତିନିଧି ଦଳ ଉପଖଣ୍ଡ ବନ ଅଧିକାରୀଙ୍କୁ ସାକ୍ଷାତ କରି ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଥିଲେ। ଦାବିପତ୍ରରେ କୁହାଯାଇଛି ଯେ, ଯଦି ଅଭିଯୋଗ ସତ୍ୟ ପ୍ରମାଣିତ ହୁଏ, ତେବେ Wildlife Protection Act, 1972ର ଧାରା ୯, ୩୯ ଓ ୫୧ ଅନୁଯାୟୀ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବାକୁ ଦାବି କରାଯାଇଛି।
ବିଜେପି ନେତୃବୃନ୍ଦ କହିଛନ୍ତି ଯେ, ବନ୍ୟଜନ୍ତୁ ଓ ପକ୍ଷୀଙ୍କ ସୁରକ୍ଷା ସମସ୍ତଙ୍କର ସାମୂହିକ ଦାୟିତ୍ୱ। ତେଣୁ ଏପରି ବେଆଇନ କାର୍ଯ୍ୟ ପ୍ରତି ବନ ବିଭାଗ ତୁରନ୍ତ ପଦକ୍ଷେପ ନେବା ସହ ଦୋଷୀଙ୍କ ବିରୋଧରେ ଆଇନ ଅନୁସାରେ କଠୋର ବ୍ୟବସ୍ଥା ଗ୍ରହଣ କରିବାକୁ ସେମାନେ ଦାବି ଜଣାଇଛନ୍ତି।
ଏହି ଅବସରରେ ଜିଲ୍ଲା ଉପସଭାପତି ମନୋଜ ପ୍ରଧାନ, ବରିଷ୍ଠ ନେତା ବିରଞ୍ଚି ସାହୁ, ବରିଷ୍ଠ ଆଇନଜୀବୀ ଦୟାସାଗର ମିଶ୍ର, ଘଣ୍ଟପଡ଼ା ସମିତି ସଭ୍ୟ କରୁଣାକର ସାହୁ, ପୂର୍ବତନ ସରପଞ୍ଚ ସୁନୀଲ ବିଶ୍ୱାଳ, ବିଜୟ ବିଶ୍ୱାଳ, ଖଇରା ପ୍ରଧାନଙ୍କ ସମେତ ବହୁ ବିଜେପି ନେତୃବୃନ୍ଦ ଉପସ୍ଥିତ ଥିଲେ।
