ତାଳଚେର ପୌର ପରିଷଦରେ ଗୁରୁତ୍ୱପୂର୍ଣ୍ଣ ବୈଠକ; ସହରର ବିକାଶ ଓ ଉନ୍ନତିମୂଳକ କାର୍ଯ୍ୟ ଉପରେ ବ୍ୟାପକ ଆଲୋଚନା
ତାଳଚେର, ୧୩.୭.( ନିପ୍ର ) ଭଞ୍ଜଦୂତ ତାଳଚେର ସହରର ସର୍ବାଙ୍ଗୀନ ବିକାଶ ଓ ପ୍ରଗତିକୁ ନେଇ ଆଜି ତାଳଚେର ପୌର ପରିଷଦ କାର୍ଯ୍ୟାଳୟ ସଭାଗୃହଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ସଭାରେ ସହରର ବିଭିନ୍ନ ଜନମଙ୍ଗଳକାରୀ ଯୋଜନା, ଭିତ୍ତିଭୂମିର ବିକାଶ ଏବଂ ସ୍ଥାନୀୟ ସମସ୍ୟାର ସମାଧାନ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।
ବୈଠକରେ ବିଶେଷ କରି ତାଳଚେର ଅଞ୍ଚଳର ପାନୀୟ ଜଳ ଯୋଗାଣ, ବିପର୍ଯ୍ୟସ୍ତ ରାସ୍ତାଘାଟର ମରାମତି, ଡ୍ରେନେଜ ବ୍ୟବସ୍ଥାର ସୁଧାର ଏବଂ ସହରର ସ୍ୱଚ୍ଛତା ଉପରେ ପ୍ରାଥମିକତା ଦିଆଯାଇଥିଲା। ଏହା ସହିତ ସହରକୁ ସବୁଜ ସୁନ୍ଦର କରିବା ପାଇଁ ଆଲୋକୀକରଣ ଓ ପାର୍କ ନିର୍ମାଣ ଭଳି ନୂତନ ପ୍ରକଳ୍ପ ସମ୍ପର୍କରେ ମଧ୍ୟ ରୂପରେଖ ପ୍ରସ୍ତୁତ କରାଯାଇଛି। ସ୍ଥାନୀୟ ଜନସାଧାରଣ ଯେପରି ସମସ୍ତ ମୌଳିକ ସୁବିଧା ସହଜରେ ପାଇପାରିବେ, ସେଥିପାଇଁ ପୌର ପ୍ରଶାସନ ପକ୍ଷରୁ ଦୃଢ଼ ପଦକ୍ଷେପ ନିଆଯିବ ବୋଲି ବୈଠକରେ ସୂଚନା ଦିଆଯାଇଛି।
ଏହି ସଭାରେ ପୌର ପରିଷଦର ନଗରପାଳ ପବିତ୍ର ଭୁତିଆ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ,ଓ ସମସ୍ତ କାର୍ଯ୍ୟକର୍ତ୍ତା, କାଉନସିଲର ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ୱାର୍ଡର ସମସ୍ୟା ଉପସ୍ଥାପନ କରିବା ସହ ତାଳଚେରର ଉନ୍ନତି ପାଇଁ ଗଠନମୂଳକ ପ୍ରସ୍ତାବମାନ ଦେଇଥିଲେ। ଆଗାମୀ ଦିନରେ ଏହି ସମସ୍ତ ଯୋଜନାକୁ ସଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ବୈଠକରେ ସଂକଳ୍ପ ନିଆଯାଇଛି। ମନୋଜ ରାଉତ ଙ୍କ ରିପୋର୍ଟ ଭଞ୍ଜଦୂତ ଖବରକାଗଜ।
