*କୋମନା ଅଞ୍ଚଳରେ ବାର୍ହା ଶିକାର: ୪ ଗିରଫ, ମାଂସ ଜବତ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା -୧୨/୦୭:
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଭାଲୁକୋନା ଗ୍ରାମରେ ବନ ବିଭାଗ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇ ବାର୍ହା ଶିକାର ଅଭିଯୋଗରେ ୪ ଜଣ ଶିକାରୀଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ଭାଲୁକୋନା ଗ୍ରାମର ସୋମନାଥ ସାହୁ (୫୧), ମାଧବ ମାଝୀ (୨୬), ଭୁବନ ମାଝୀ (୪୦) ଏବଂ ଦିଲୀପ ମାଝୀ (୨୮)।
ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଜଙ୍ଗଲରେ ଜୀବଜନ୍ତୁଙ୍କୁ ମାରିବା ପାଇଁ ବିଦ୍ୟୁତ ତାର ବିଛାଇ ଏକ ବାର୍ହା ଶିକାର କରିଥିଲେ। ଏହାପରେ ସେମାନେ ଏକ ଖଳାବାଡ଼ିରେ ବାର୍ହା ମାଂସ କାଟୁଥିବା ସମୟରେ, କୋମନା ବନ ବିଭାଗର ଏକ ସ୍ପେଶାଲ ଟିମ୍ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ହଠାତ୍ ସେଠାରେ ଚଢ଼ାଉ କରିଥିଲା। ବନ ବିଭାଗ କର୍ମଚାରୀମାନେ ଶିକାରୀମାନଙ୍କୁ ରଙ୍ଗେହାତ ଧରିବା ସହ ଘଟଣାସ୍ଥଳରୁ ପ୍ରାୟ ୨.୨ କିଲୋଗ୍ରାମ ବାର୍ହା ମାଂସ ଜବତ କରିଛନ୍ତି।
ବନ ଅଧିକାରୀଙ୍କ ସୂଚନା ମୁତାବକ, ଏହି ଅଭିଯୁକ୍ତମାନେ ପ୍ରାୟ ଛଅ ମାସ ପୂର୍ବରୁ ମଧ୍ୟ ଅନୁରୂପ ଭାବେ ବନ୍ୟଜନ୍ତୁ ଶିକାର ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। ଜେଲ୍ରୁ ଫେରିବା ପରେ ସେମାନେ ପୁଣି ଏହି ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ। ଏହି ଚଢ଼ାଉ ପରେ ସମସ୍ତ ୪ ଜଣଙ୍କୁ ଗିରଫ କରାଯାଇ ପୁନର୍ବାର କୋର୍ଟ ଚାଲାଣ କରାଯାଇଛି। ବେଆଇନ ବିଦ୍ୟୁତ ତାର ବିଛାଇ ଶିକାର କରିବା ବନ୍ୟଜନ୍ତୁଙ୍କ ପାଇଁ ଘୋର ବିପଦ ସୃଷ୍ଟି କରୁଥିବାରୁ, ଆଗାମୀ ଦିନରେ ଏଭଳି ଅପରାଧ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ଚେତାବନୀ ଦେଇଛି।
