ଭୃଣ ଲିଙ୍ଗ ନିର୍ଣ୍ଣୟ ଅଭିଯୋଗରେ ୬ ଜଣିିଆ ଟିମ୍ର ଯାଞ୍ଚ: ନର୍ସିଂ ହୋମ ମାଲିକ ଓ ସହଯୋଗୀ ଗିରଫ
ସୋର, ୧୦/୭(ନିପ୍ର, ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ)- ଗତକାଲି ସୋର ଉତ୍ତରେଶ୍ଵର ରେ ଥିବା ମହାପାତ୍ର ହେଲ୍ଥ କେୟାର ଓ ନର୍ସିିଂହୋମରେ ଭୃଣ ଲିଙ୍ଗ ନିରୁପଣ ଅଭିଯୋଗରେ ବାଲେଶ୍ୱର ଜିଲ୍ଲାପାଳ ଚଢ଼ାଉ କରି କାଗଜପତ୍ର ଜବତ କରିବା ସହିତ ଏାହାକୁ ସିଲି କରିଥିବା ବେଳେ ଏହାର ମାଲିକ ଏବଂ ସହଯୋଗୀଙ୍କୁ ଥାନାରେ ଅଟକ ରଖାଯାଇଥିଲା। ଆଜି ଏକ ୬ ଜଣିଆ ରାଜ୍ୟ ସ୍ୱାସ୍ଥ୍ୟ ତଦନ୍ତ ଟିମ୍ ସୋରରେ ପହଞ୍ଚି ସଂପୃକ୍ତ ନର୍ସିଂହୋମ ଏବଂ ତାର ଅନ୍ୟ ଏକ ବ୍ରାଞ୍ଚରେ ସମସ୍ତ କଗଜପତ୍ର ଏବଂ ଯନ୍ତ୍ରପାତି ଯାଞ୍ଚ କରିଥିବା ବେଳେ ଆଜି ଡ. ଗିରିଜାଶଙ୍କର ଦାସଙ୍କ ଅଭିଯୋଗ ମୂଳେ ସୋର ପୁଲିସ୍ ଏକ ମକଦମା ରୁଜୁ କରି ଏହାର ମାଲିକ ସତ୍ୟ ରଂଜନ ମହାପାତ୍ର ଏବଂ ସହଯୋଗୀ ବାସୁଦେବ ଦାସଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ପ୍ରକାଶ ଥାଉକି ଏହି ନର୍ସିିଂ ହୋମରେ ଗତ କିଛିଦିନ ଧରି ଲଗାତର ଅଲଟ୍ରାସାଉଣ୍ଡ ସୋନୁଗ୍ରାଫିକ୍ ମାଧ୍ୟମରେ ଗର୍ଭସ୍ଥ ଭୃଣର ଲିଙ୍ଗ ନିରୁପଣ କରି କରିବା ପରେ କନ୍ୟା ଭୃଣ ଥିଲେ ଗର୍ଭପାତ କରାଇ ପ୍ରଚୁର ଅର୍ଥ ନେଉଥିବା ସଂପର୍କରେ ବାଲେଶ୍ଵର ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଉପଜିଲ୍ଲାପାଳ ଶିବ ମାଲବ୍ୟଙ୍କ ସହିତ ଏକ ଟିମ୍ ସୋର ତହସିଲଦାର କୃଷ୍ଣମୋହନ ସିଂହ,ବାହାନଗା ତହସିଲଦାର ଅମ୍ବିକା ଭୁଇଁଆ, ସୋର ଗୋଷ୍ଠୀ ସ୍ୱାସ୍ଥ୍ୟାକେନ୍ଦ୍ରର ଅଧିକ୍ଷକ କାଶୀନାଥ ପଣ୍ଡା ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ସମୟରେ ବିଭିନ୍ନ ଆପତ୍ତିଜନକ ସାମଗ୍ରୀ ଜବତ ହେବା ସହିତ, କାଗଜପତ୍ର ଓ କର୍ମଚାରମାନଙ୍କ ଶିକ୍ଷାଗତ ଯୋଗ୍ୟତା ବାବଦରେ ଯାଞ୍ଚ କରାଯାଇଥିଲା। ପରେ ବିଭିନ୍ନ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରାଯାଇ ବଡଖୁରୀ ଛକରେ ଥିବା ମହାପାତ୍ର ହେଲଥକେୟାର ଓ ଉତ୍ତରେଶ୍ୱର ବସଷ୍ଟାଣ୍ଡ ନକିଟରେ ଥିବା ମହାପାତ୍ର ନର୍ସିଂ ହୋମକୁ ସିଲ କରାଯାଇ ଏହାର ମାଲିକ ଶ୍ରୀ ମହାପାତ୍ର ଓ କର୍ମଚାରୀକୁ ଅଟକ ରଖାଯାଇଥିଲା। ଆଜି ସଂଧ୍ୟାରେ ଗିରଫ କରାଯାଇ କୋର୍ଟ ଚାଲଶଣ କରାଯାଇଥିବା ଜଣାଯାଇଛି।
