*ନୂଆପଡ଼ାରେ ଚାଷୀଙ୍କ ସ୍ୱାର୍ଥକୁ ସର୍ବାଧିକ ପ୍ରାଥମିକତା: ସାର କଳାବଜାରୀ ରୋକିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା. ୧୦/୦୭:
ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟସ୍ଥିତ ସମ୍ମିଳନୀ କକ୍ଷରେ କୃଷି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଓ ଖରିଫ-୨୦୨୬ କୃଷି କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଶ୍ରୀ ଦାଶ କହିଥିଲେ ଯେ, ଚାଷୀଙ୍କ ପ୍ରକୃତ ଆବଶ୍ୟକତା ପୂରଣ କରିବା କୃଷି ବିଭାଗର ପ୍ରଥମ ଦାୟିତ୍ୱ। ଚାଷୀମାନଙ୍କର ସରକାରୀ ବ୍ୟବସ୍ଥା ଉପରେ ଆସ୍ଥା ଅତୁଟ ରହିବା ଦିଗରେ ସମସ୍ତ ଅଧିକାରୀ ସମ୍ବେଦନଶୀଳତାର ସହ କାର୍ଯ୍ୟ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସାର କଳାବଜାରୀ କିମ୍ବା ବଣ୍ଟନରେ କୌଣସି ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତଙ୍କ ବିରୋଧରେ ତୁରନ୍ତ ଏଫ୍ଆଇଆର୍ ରୁଜୁ କରି ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏ କ୍ଷେତ୍ରରେ ପ୍ରଶାସନର ଶୂନ୍ୟ ସହନଶୀଳତା ନୀତି ରହିଛି ବୋଲି ସେ ସ୍ପଷ୍ଟ କରିଥିଲେ। ୟୁରିଆ ସାରର କୌଣସି ଅଭାବ ଦେଖାଦେଲେ ବିଭାଗୀୟ ସମନ୍ୱୟ ମାଧ୍ୟମରେ ତୁରନ୍ତ ସମାଧାନ କରିବାକୁ ସେ ଅଧିକାରୀମାନଙ୍କୁ କହିଥିଲେ।
ଚଳିତ ଖରିଫ ଋତୁରେ ଜିଲ୍ଲାରେ ୧,୫୯,୯୭୦ ହେକ୍ଟର ଫସଲ ଆବରଣ ଲକ୍ଷ୍ୟ ରହିଥିବାବେଳେ ୧୩,୧୫୭ ହେକ୍ଟରରେ ଚାଷ ସମ୍ପନ୍ନ ହୋଇଛି। ସେହିପରି ୯୩,୭୦୦ ହେକ୍ଟର ଧାନ ଚାଷ ଲକ୍ଷ୍ୟ ବିପରୀତ ୯,୧୪୯ ହେକ୍ଟରରେ ଧାନ ଚାଷ ସମ୍ପନ୍ନ ହୋଇଛି।ସାର ଉପଲବ୍ଧତା ସମ୍ପର୍କରେ ଜଣାପଡ଼ିଥିଲା ଯେ ଜିଲ୍ଲାରେ ଖରିଫ ଋତୁ ପାଇଁ ୧୩,୦୦୦ ମେଟ୍ରିକ୍ ଟନ୍ ୟୁରିଆର ଆବଶ୍ୟକତା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୦,୦୫୦.୭୩ ମେଟ୍ରିକ୍ ଟନ୍ ୟୁରିଆ ଉପଲବ୍ଧ ରହିଛି। ମୋଟ ୮,୭୧୩.୨୪ ମେଟ୍ରିକ୍ ଟନ୍ ବିଭିନ୍ନ ପ୍ରକାର ସାର ଜିଲ୍ଲାରେ ମହଜୁଦ ଥିବାରୁ ଚାଷୀମାନଙ୍କ ପାଇଁ ପର୍ଯ୍ୟାପ୍ତ ସାର ଉପଲବ୍ଧ ଥିବା ବୈଠକରେ ସୂଚନା ଦିଆଯାଇଥିଲା।କୃଷକ ପଞ୍ଜୀକରଣରେ ଜିଲ୍ଲାର ୧,୦୧,୧୨୮ ଚାଷୀଙ୍କ ଲକ୍ଷ୍ୟ ମଧ୍ୟରୁ ୪୭,୧୯୦ ଜଣ ଚାଷୀଙ୍କ ପଞ୍ଜୀକରଣ ସମ୍ପନ୍ନ ହୋଇ ୪୬ ପ୍ରତିଶତ ଅଗ୍ରଗତି ହାସଲ ହୋଇଥିବାବେଳେ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଚଳିତ ବର୍ଷ ଜିଲ୍ଲାରେ ୧୦୦୦ ହେକ୍ଟରରେ ପ୍ରାକୃତିକ କୃଷି, ୩,୮୧୦ ହେକ୍ଟରରେ ଶ୍ରୀଅନ୍ନ ଅଭିଯାନ, ୬୪୦ ହେକ୍ଟରରେ ମୁଖ୍ୟମନ୍ତ୍ରୀ ମକା ମିଶନ, ୧,୨୦୦ ହେକ୍ଟରରେ କପା ଉତ୍ପାଦନ ବୃଦ୍ଧି କାର୍ଯ୍ୟକ୍ରମ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ମଧ୍ୟ ସମୀକ୍ଷା କରାଯାଇଥିଲା।
ଏହି ଅବସରରେ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ନୂଆପଡ଼ା ବ୍ଲକର ଗଣେଶ ଶବର, କୋମନା ବ୍ଲକର ମୟାଧର ପ୍ରଧାନ, ଖଡ଼ିଆଳ ବ୍ଲକର ପୁନ୍ଦରିକାକ୍ଷ କଟା, ବୋଡେନ ବ୍ଲକର ନିରଞ୍ଜନ ମାଝୀ ଏବଂ ସିନାପାଲି ବ୍ଲକର ଗଣେଶରାମ ମାଝୀଙ୍କୁ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ।ବୈଠକରେ ସହକାରୀ କୃଷି ଅଧିକାରୀ ବର୍ଷା ଆଜାଦ, ନୂଆପଡ଼ା ବ୍ଲକ କୃଷି ଅଧିକାରୀ ସତ୍ୟଭୂଷଣ ନାଗ, ଖଡ଼ିଆଳ ବ୍ଲକ କୃଷି ଅଧିକାରୀ ମହମ୍ମଦ ମୁର୍ତ୍ତୁଜା, ତରବୋଡ଼ ସହକାରୀ କୃଷି ଅଧିକାରୀ ସୌଦାମିନୀ ରାୟ, ଆଇସିଆରଆଇଏସଏଟ୍ର ବରିଷ୍ଠ ବୈଜ୍ଞାନିକ ରାମ ବିକାଶ ବର୍ମାଙ୍କ ସମେତ କୃଷି ବିଭାଗର ବିଭିନ୍ନ ବ୍ଲକର ଅଧିକାରୀମାନେ ଉପସ୍ଥିତ ଥିଲେ।
