ସେବା ଭାରତୀ ମାଧ୍ୟମରେ ସୋର୍ଲୁକୋଣ୍ଡାରେ ବନମହୋତ୍ସବ ପାଳିତ, ୧୫୦ ପରିବାରଙ୍କୁ ୭୫୦ରୁ ଅଧିକ ଚାରା ବଣ୍ଟନ।
ମାଲକାନଗିରି, ୭ ଜୁଲାଇ୨୦୨୬
(ରିପୋର୍ଟ – ସୁକୁମାର ମଣ୍ଡଳ)
ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନିଲାକମ୍ବେରୁ ପଞ୍ଚାୟତର ସୋର୍ଲୁକୋଣ୍ଡା ଗ୍ରାମରେ ସେବା ଭାରତୀର ସହଯୋଗ ଓ ମାଲ୍ୟବନ୍ତ ସ୍ୱେଚ୍ଛାସେବୀ ସମିତି, ବାଲିମେଳାର ସମନ୍ୱୟରେ ବନମହୋତ୍ସବ କାର୍ଯ୍ୟକ୍ରମ ଉତ୍ସାହର ସହ ପାଳିତ ହୋଇଯାଇଛି। ପରିବେଶ ସୁରକ୍ଷା, ସବୁଜ ବନାୟନ ଓ ଜନସାଧାରଣଙ୍କ ମଧ୍ୟରେ ବୃକ୍ଷରୋପଣ ସଚେତନତା ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ଥିଲା। ବନମହୋତ୍ସବ ସପ୍ତାହ ଅବସରରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଏପରି ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଳିତ ହେଉଛି।
ଏହି କାର୍ଯ୍ୟକ୍ରମରେ ସ୍ପେଶାଲ ଡେଭଲପମେଣ୍ଟ କାଉନସିଲର ଉପାଧ୍ୟକ୍ଷା ଶ୍ରୀମତୀ ସାବିତ୍ରୀ ପଡ଼ିଆମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିବେଶ ସୁରକ୍ଷାରେ ବୃକ୍ଷର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ, ପ୍ରତ୍ୟେକ ପରିବାର ଅତି କମରେ କିଛି ଗଛ ଲଗାଇ ସେଗୁଡ଼ିକର ଯତ୍ନ ନେଲେ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ଓ ସବୁଜ ପରିବେଶ ସୃଷ୍ଟି ହୋଇପାରିବ।
ମୁଖ୍ୟ ବକ୍ତା ଭାବେ ଭାଜପା ଜିଲ୍ଲା ଉପସଭାପତି ଶ୍ରୀ ସୁଭାଷ ପଡ଼ିଆମୀ ଉପସ୍ଥିତ ରହି ବୃକ୍ଷରୋପଣକୁ ଏକ ସାମାଜିକ ଦାୟିତ୍ୱ ବୋଲି କହିଥିଲେ। ସେ ସମସ୍ତଙ୍କୁ ଅଧିକରୁ ଅଧିକ ଫଳଜ ଓ ଔଷଧୀୟ ଗଛ ଲଗାଇ ସେଗୁଡ଼ିକର ସୁରକ୍ଷା କରିବାକୁ ଆହ୍ୱାନ ଦେଇଥିଲେ।
କାର୍ଯ୍ୟକ୍ରମରେ ୧୫୦ଟି ପରିବାରକୁ ୭୫୦ରୁ ଅଧିକ ଚାରା ବଣ୍ଟନ କରାଯାଇଥିଲା। ପ୍ରତ୍ୟେକ ପରିବାରକୁ ୫ଟି ଲେଖାଏଁ ଆମ୍ବ, ଅଁଳା, ସୋଜନା, କାଜୁବାଦାମ ଓ ଓଉ ଗଛର ଚାରା ପ୍ରଦାନ କରାଯାଇଥିଲା। ଉପସ୍ଥିତ ଅତିଥି ଓ ସ୍ଥାନୀୟ ଲୋକମାନେ ମିଳିତ ଭାବେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ସଂକଳ୍ପ ନେଇଥିଲେ।
ଶେଷରେ ମାଲ୍ୟବନ୍ତ ସ୍ୱେଚ୍ଛାସେବୀ ସମିତିର ସଦସ୍ୟମାନେ, ସେବା ଭାରତୀର କର୍ମକର୍ତ୍ତା ଏବଂ ସ୍ଥାନୀୟ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମ ସଫଳ ଭାବେ ସମାପ୍ତ ହୋଇଥିଲା। ପରିବେଶ ସନ୍ତୁଳନ ରକ୍ଷା ପାଇଁ ଆଗାମୀ ଦିନରେ ମଧ୍ୟ ଏଭଳି ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ଆୟୋଜକମାନେ ସୂଚନା ଦେଇଛନ୍ତି।
