ଅନଲାଇନ ଗେମ୍ ଛାତ୍ରଙ୍କୁ ଅକର୍ମଣ୍ୟ କଲା
ବନ୍ତ / ଆଗରପଡ଼ା,(ନିପ୍ର) ଅନଲାଇନରେ ପାଠ ପଢ଼ିବା ପାଇଁ ପୁଅକୁ ବାପା ଦେଇଥିଲେ ଆଣ୍ଡରୟଡ଼ ମୋବାଇଲ । ମାତ୍ର ପାଠ ପଢୁପଢୁ ଅନଲାଇନ ଗେମ ନିଶାରେ ପଡ଼ି ପୁଅ ବିଭିନ୍ନ ମାରାତ୍ମକ ଗେମ ଖେଳିଥିଲା । ଏହାକୁ ଦେଖି ପୁଅ ହିତାହିତ ଜ୍ଞାନ ଭୁଲି ଯାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁକରୁ ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ବର୍ତ୍ତି ଗଲା ସିନା ତାପର ଠାରୁ ସେ ଅକର୍ମଣ୍ୟ ପାଲଟିଗଲା। ବାପା ବିକ୍ରୀ ବଟା କରି ଚିକିତ୍ସା କରିଥିଲେ ସୁଦ୍ଧା ସେ ଆଜି ଯାଏ ଭଲ ହୋଇପାରି ନାହିଁ । ସେ ବର୍ତ୍ତମାନ ଚିକିତ୍ସାଧୀନ ଥିଲେ ସୁଦ୍ଧା ମସ୍ତିଷ୍କ ବିକୃତି ଘଟିବାରୁ କଥା ମଧ୍ୟ କରିପାରୁ ନାହିଁ । ସ୍ମୃତିଶକ୍ତି ହରାଇ ବସିଛି ।ଏହିପରି ଅଘଟଣ ଘଟିଛି ଆଗରପଡ଼ା ସ୍ଥିତ ଆଡ଼ିଆ ପଞ୍ଚାୟତ ଓଲଡାଙ୍ଗ ଗ୍ରାମରେ । ବାପା ବାଙ୍ଗାଲୋରରେ ଚାକିରୀ କରିଥିବାରୁ ପୁଅ ମଧ୍ୟ ସେଠାରେ ରହି ଏକ ଘରୋଇ ସ୍କୁଲରେ ଅଧ୍ୟୟନ କରୁଥିଲା । ଏହି ୧୧ ବର୍ଷ ବୟସ୍କ ଜଣଙ୍କ ଜଣେ ମେଧାବୀ ଛାତ୍ର ଭାବେ ସେଠାରେ ସ୍ୱନାମ ଅର୍ଜ୍ଜନ କରିଥିଲା । ଏକମାତ୍ର ପୁଅ ପାଇଁ ବାପା ମାଆ କେତେ ସ୍ବପ୍ନ ଦେଖିଥିଲେ ମାତ୍ର ଅନାଇନ ଗେମ ସମସ୍ତ ଆଶା,ଆଙ୍କାକ୍ଷାକୁ ଧୂଳିସାତ୍ କରିଦେଲା ।
