ରକ୍ତ ସମ୍ପର୍କରେ ଲାଗିଲା କଳଙ୍କ: ପକ୍ଷାଘାତ ରୋଗୀ ମହିଳାଙ୍କୁ ପୋଲ ତଳକୁ ଫିଙ୍ଗିଦେଲେ ଆପଣାର ଲୋକ
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋରରେ ଗତ କେଇ ଦିନ ତଳେ ଜଣେ ବୃଦ୍ଧ ବାପାକୁ ୬ ପୁଅ ଓ ତିନି ଝିଅ ଖାଦ୍ୟ ଦେବାରେ ଅବହେଳା କରିବାରୁ ମାନସିକ ହରାଇ ଟ୍ରେନ ଆଗରେ ଆତ୍ମହତ୍ୟା ଘଟଣା ମନରୁ ନ ଲିଭୁଣୁ ପୁଣି ଆଉ ଏକ ମାନବିକତା ହରାଇଲା ଭଳି ଘଟଣା ଦେଖିବାକୁ ମିଳିଛି। ଜଣେ ପକ୍ଷାଘାତ ରୋଗରେ ପୀଡ଼ିତ ମହିଳାଙ୍କୁ ତାଙ୍କ ପରିବାର ଲୋକେ ଏକ ପୋଲ ତଳେ ଫିଙ୍ଗି ଦେଇଥିବା ବେଳେ ବୁଲା କୁକୁରଙ୍କ ମୁହଁରୁ ତାଙ୍କୁ ଉଦ୍ଧାର କରିଛନ୍ତି ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା। ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ନମିତା ସାହୁ(୫୦) ବହୁଦିନ ଧରି ପକ୍ଷାଘାତ ରୋଗରେ ପୀଡ଼ିତ ଅଛନ୍ତି | ଗତ ୫ ଦିନ ତଳେ ପରିବାର ଲୋକେ ତାଙ୍କୁ ଏକ କାର୍ରେ ଆଣି ସୋର ଥାନା ଅଧୀନ ଚପରପଦା ପୋଲ ତଳେ ଛାଡ଼ିଯାଇଥିଲେ। ପକ୍ଷାଘାତ ଯୋଗୁଁ ମହିଳା ଜଣକ ଚଳପ୍ରଚଳ କରିପାରୁ ନଥିଲେ | ଫଳରେ ଉକ୍ତ ପୋଲତଳେ ନଖାଇ ନପିଇ ପଡ଼ି ରହିଥିଲେ। ଖବରପାଇ ସ୍ଵେଚ୍ଛାସେବୀ ସଙ୍ଗଠନ ପୂଜ୍ୟପୂଜା ସେବା ସଂସଦର ଶ୍ରୀକାନ୍ତ ଧଳ, ସୁକାନ୍ତି ସାହୁ, ତ୍ରୈଲୋକ୍ୟ ଜେନା, ଗଜନାରାୟଣ ଦାସ ଓ ମାନସ ପାଣିଗ୍ରାହୀ ପ୍ରମୁଖ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିବାବେଳେ କିଛି ବୁଲାକୁକୁର ତାଙ୍କୁ କାମୁଡ଼ିଥିବା ଦେଖିଥିଲେ | କୁକୁରମାନଙ୍କ ମୁହଁରୁ ନମିତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେ ସମୟରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁଥିବାରୁ ନମିତାଙ୍କୁ ଉତ୍ତରେଶ୍ବର ପୋଲ ତଳେ ଜଣେ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧଦେବା ସହିତ ତାଙ୍କର ସେବା କରିଥିଲେ | ସଂଧ୍ୟାରେ ମହିଳାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳାଙ୍କ ପରିବାର ଲୋକଙ୍କ ଏପରି ଅମାନବୀୟ କାଣ୍ଡ ପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
