**ଚିକିତ୍ସା ନପାଇ ଆଖି ବୁଜିଲେ ପ୍ରସୂତି, ଦାୟୀ କିଏ? ଡାକ୍ତରଙ୍କ ଆନ୍ଦୋଳନକୁ ନେଇ ପ୍ରଶ୍ନବାଚୀ*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୪ ଜୁଲାଇ ୨୦୨:
ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଯୋଗୁଁ ଉପଯୁକ୍ତ ଚିକିତ୍ସା ନମିଳିବାରୁ ଜଣେ ନିରୀହ ପ୍ରସୂତି ମହିଳାଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଅଭାବନୀୟ ଘଟଣାଟି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଳୟରେ ଘଟିଛି। ମୃତ ମହିଳା ଜଣକ ହେଲେ ଖଡ଼ିଆଳ ବ୍ଲକ ବିରିଘାଟ ଗ୍ରାମର ଭଲା ଖରସେଲଙ୍କ ସ୍ତ୍ରୀ ଗୀତାଞ୍ଜଳି ଖରସେଲ। ଡାକ୍ତରଙ୍କ ଚିକିତ୍ସା ଅଭାବ ଓ ଅବହେଳା ଯୋଗୁଁ ଗୋଟିଏ ନିରୀହ ଜୀବନ ଚାଲିଯାଇଥିବା ନେଇ ପରିବାର ଲୋକେ ଗୁରୁତର ଅଭିଯୋଗ ଆଣିଛନ୍ତି।ବାଟରେ ପ୍ରସବ, ମେଡିକାଲରେ ମିଳିଲାନି ଚିକିତ୍ସା:ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଦିନ ଗୀତାଞ୍ଜଳିଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ତାଙ୍କୁ ଡାକ୍ତରଖାନା ନେଉଥିଲେ। ମାତ୍ର ମେଡିକାଲରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ସେ ଏକ ସନ୍ତାନ ପ୍ରସବ କରିଥିଲେ। ଏହାପରେ ପ୍ରସବ ପରବର୍ତ୍ତୀ ଜରୁରୀକାଳୀନ ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ଖଡ଼ିଆଳ ମେଡିକାଲକୁ ଅଣାଯାଇଥିଲା। କିନ୍ତୁ ସେଠାରେ ରାଜ୍ୟବ୍ୟାପୀ ଚାଲିଥିବା ଡାକ୍ତରୀ ଆନ୍ଦୋଳନ ଯୋଗୁଁ କୌଣସି ଡାକ୍ତର ତାଙ୍କୁ ଚିକିତ୍ସା କରିନଥିଲେ ବୋଲି ମୃତକଙ୍କ ସ୍ୱାମୀ ଓ ପରିବାର ଲୋକେ ଅଭିଯୋଗ କରିଛନ୍ତି।ରାୟପୁର ନେବା ବେଳେ ବାଟରେ ଗଲା ଜୀବନ:ଡାକ୍ତରଖାନାରେ ଦୀର୍ଘ ସମୟ ପର୍ଯ୍ୟନ୍ତ କୌଣସି ଚିକିତ୍ସା ନମିଳିବାରୁ ଗୀତାଞ୍ଜଳିଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରେ ଲାଗିଥିଲା। ବିକଳ୍ପ ନପାଇ ପରିବାର ଲୋକେ ରାତି ପ୍ରାୟ ୨ଟା ସମୟରେ ତାଙ୍କୁ ପଡ଼ୋଶୀ ଛତିଶଗଡ଼ର ରାୟପୁର ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ବାଧ୍ୟ ହୋଇଥିଲେ। ମାତ୍ର ଦୁର୍ଭାଗ୍ୟବଶତଃ ରାୟପୁର ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ବାଟରେ ହିଁ ଗୀତାଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା। ରାଜ୍ୟରେ ଚାଲିଥିବା ଆନ୍ଦୋଳନ ଯୋଗୁଁ ଜଣେ ଗରିବ ପ୍ରସୂତି ମା’ଙ୍କ ଜୀବନ ଚାଲିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ଏହି ଘଟଣାକୁ ନେଇ ମେଡିକାଲ କର୍ତ୍ତୃପକ୍ଷ କିମ୍ବା ପୋଲିସ ତରଫରୁ ବର୍ତ୍ତମାନ ସୁଦ୍ଧା କୌଣସି ଆଧିକାରିକ ପ୍ରତିକ୍ରିୟା ମିଳିପାରିନାହିଁ।
