ସୋର ପାଇଁ କାଳ ସାଜିଛି କି ଏନଏଚ ୧୬ ? ଟ୍ରକ ଓ କଣ୍ଟେନର ମଧ୍ୟରେ ଧକ୍କା ,ଚାଳକ ଗୁରୁତର
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)ସୋରରେ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥ ରେ ଯେପରି ଭାବେ ପ୍ରତ୍ୟେକଦିନ ଦୁର୍ଘଟଣା ବଢୁଛି ସାଧାରଣ ଲୋକେ କହିବା ଆରମ୍ଭ କଲେଣି କି ଯେପରି ସୋର ପାଇଁ ୧୬ ନମ୍ବର ଜାତୀୟ ରାଜପଥ ଅଶୁଭ ହୋଇଯାଇଛି। ତତ୍ ସହ କାହିଁକି ବାରମ୍ବାର ଦୁର୍ଘଟଣା ଘଟୁଛି? ଏକ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି ସୋରବାସୀଙ୍କ ଭିତରେ। ଆଜି ମଧ୍ୟାହ୍ନରେ ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ପାଇକାଳୀ ପୋଲ ନିକଟରେ ବ୍ରିଜ ଗୋପଳ ଠିକା ସଂସ୍ଥାର ଏନଏଲ ୦୧ଏସି ୯୯୮୬ ନମ୍ବର ବିଶିଷ୍ଟ ଏକ ହାଇୱା ଟ୍ରକ ରାସ୍ତାରେ ମଝିରେ ଛିଡା ହୋଇଥିବା ବେଳେ ଭଦ୍ରକରୁ ବାଲେଶ୍ୱର ଅଭିମୁଖେ ଯାଉଥିବା ଏକ କଣ୍ଟେନର ପଛରୁ ଧକା ଦେଇଥିଲା। ଫଳରେ କଣ୍ଟେନର ଚାଳକ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସୋର ଥାନା ଏସଆଇ ପ୍ରସ୍ନଜିତ ମହାନ୍ତି ଓ ସୋର ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ଦୀର୍ଘ ସମୟ ପରେ ଡ୍ରାଇଭର ଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ନେଇଥିବା ବେଳେ ସେଠାରେ ତାଙ୍କର ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
