ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ଟିକା ସଂକଟ ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ପାଇଁ ବିସିଜି ଓ ହେପାଟାଇଟିସ-ବି ଟିକାର ଅଭାବ ଦେଖାଦେଇଛି। ଗତ ୩ ଦିନ ଧରି ଟିକା ନଥିବାରୁ ଅନେକ ନବଜାତ ଶିଶୁ ଟିକାକରଣରୁ ବଞ୍ଚିତ ହୋଇଥିବାବେଳେ,ଅଭିଭାବକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନବଜାତ ଶିଶୁଙ୍କ ପାଇଁ ଆବଶ୍ୟକ ବିସିଜି ଓ ହେପାଟାଇଟିସ-ବି ଟିକା ଗତ ୩ ଦିନ ଧରି ଉପଲବ୍ଧ ନାହିଁ। ଫଳରେ ହସ୍ପିଟାଲରେ ଜନ୍ମ ନେଇଥିବା ଅନେକ ଶିଶୁ ଟିକାକରଣରୁ ବଞ୍ଚିତ ହୋଇଛନ୍ତି। ଟିକା ନମିଳିବାରୁ ଶିଶୁଙ୍କ ସମ୍ପର୍କୀୟମାନେ ନିରାଶ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ,କାମାକ୍ଷାନଗର ଅଁଳାବେରେଣୀ ମେଡିକାଲରୁ ପ୍ରାୟ ୩୦ ଜଣ ଶିଶୁଙ୍କ ପାଇଁ ବିସିଜି ଟିକା ମଗାଯାଇଛି। କିନ୍ତୁ ଜନ୍ମର ୨୪ ଘଣ୍ଟା ମଧ୍ୟରେ ଦିଆଯିବାକୁ ଥିବା ହେପାଟାଇଟିସ-ବି ଟିକା ସମୟରେ ମିଳିନଥିବାରୁ ଏହାକୁ ବର୍ତ୍ତମାନ ଦେବା ସମ୍ଭବ ନୁହେଁ। ଏହି ଟିକା ଏବେ ପୁଣି ଦେଢ଼ ମାସ ପରେ ଦିଆଯିବ ବୋଲି ଜଣାପଡ଼ିଛି। ହସ୍ପିଟାଲ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ,ରାଜ୍ୟରୁ ପର୍ଯ୍ୟାପ୍ତ ପରିମାଣରେ ଟିକା ଯୋଗାଣ ନଆସିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଅନ୍ୟପଟେ ନବଜାତ ଶିଶୁଙ୍କ ସମ୍ପର୍କୀୟମାନେ ଶୀଘ୍ର ପର୍ଯ୍ୟାପ୍ତ ପରିମାଣର ଟିକା ମହଜୁଦ କରିବା ସହ ଏଭଳି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।
