ସୋରରେ ସରକାରୀ ଡ୍ରେନ ଉପରେ ସ୍ଥାୟୀ ସ୍ଲାବ ନିର୍ମାଣ ପାଇଁ ବର୍ଷା ଜଳ ନିଷ୍କାସନରେ ବାଧା
ସୋର(ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର): ସୋର ମୁନିସପାଲିଟି ବାସୀଙ୍କ ପାଇଁ ଅଭିଶାପ ବର୍ଷା ଦିନ। ବର୍ଷା ଦିନ ଆରମ୍ଭ ହେଉ ହେଉ ଘରେ ପାଣି ପଶିବା ଆରମ୍ଭ କଲାଣି। ସୂଚନାଯୋଗ୍ୟ ସୋମବାର ସଂଧ୍ୟାରେ ପ୍ରବଳ ବର୍ଷା ହେବା ଫଳରେ ସୋର ପୌରାଞ୍ଚଳ ଅନ୍ତର୍ଗତ ଉତ୍ତରେଶ୍ୱର ଓ କମରପୁର ଗ୍ରାମରେ ଡ୍ରେନ ପାଣି ଲହଡ଼ି ଭାଙ୍ଗି ଥିଲା। ଡ୍ରେନ ସଫା ହେଉ ନଥିବା କାରଣରୁ ରାସ୍ତାରେ ପାଣି ସୁଅ ଚାଲିଥିବା ବେଳେ ଘରେ ପାଣି ପଶିଥିବା ଦେଖାଯାଇଛି। ଦୀର୍ଘ ଦିନ ହେଲା ଗ୍ରାମବାସୀମାନେ ଏହି ଡ୍ରେନକୁ ସଫା କରିବା ପାଇଁ ଦାବି କରି ଆସୁଥିଲେ ସୁଦ୍ଧା ପ୍ରଶାସନ କର୍ଣ୍ଣପାତ ନକରିବାରୁ ଆଜି ବର୍ଷା ହେବା ଫଳରେ ପାଣି ଅତିକ୍ରମ ନ ପାରି ଜମାହୋଇ ରାସ୍ତାରେ ଲହଡ଼ି ଖେଳିଥିଲା। କେତୋଟି ଘର ଭିତରେ ବର୍ଷା ଜଳ ପଶିଯିବା ଫଳରେ ଲୋକେ ହଇରାଣ ହରକତ ହୋଇଥିଲେ। ସେହିପରି କମରପୁର ଗ୍ରାମରେ କେତେକ ଲୋକ ଡ୍ରେନ ଉପରେ ନିଜ ଅନୁସାରେ ଘର ଭିତରକୁ ଯିବା ପାଇଁ ସ୍ଥାୟୀ ସ୍ଲାବ ନିର୍ମାଣ କରିଥିବାରୁ ଜଳ ନିଷ୍କାସନରେ ବାଧା ଦେଖା ଯାଇଥିଲା। ଏହା ସହ କମରପୁରରେ ନିର୍ମାଣ ହୋଇଥିବା ଡ୍ରେନ ଓ ସ୍ଲାବ ଗୁଡ଼ିକ ଭାଙ୍ଗି ଯାଇଥିବାର ଦେଖାଗଲାଣି। ପୌର କର୍ତ୍ତୃପକ୍ଷ ତୁରନ୍ତ ଏହି ଡ୍ରେନ୍କୁ ସଫା କରିବା ସହିତ ଉତ୍ତରେଶ୍ୱର ଜାତୀୟ ରାଜପଥ ପାର୍ଶ୍ୱର ଡ୍ରେନ୍ କୁ ସଫାକରି ଜଳ ନିଷ୍କାସନ ସ୍ଥାନୀୟ ବାସିନ୍ଦାମାନେ ଦାବି କରିଛନ୍ତି।
