ତାଳଚେର ବଡ଼ବଜାର ଠାରୁ ମଦ ଦୋକାନ ହଟାଇବାକୁ ଦାବି, ବିଦ୍ୟାଳୟ ଓ ମନ୍ଦିର ନିକଟରେ ଥିବାରୁ ଜନଅସନ୍ତୋଷ।
ତାଳଚେର:୩୦/୬( ଭଞ୍ଜଦୂତ) ତାଳଚେର ସହରର ବଡ଼ବଜାର ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦୃଢ଼ ଦାବି କରିଛନ୍ତି। ଏହି ମଦ ଦୋକାନ ର ଅତି ନିକଟ ରେ ଏକ ଖେଳ ସ୍କୁଲ ଏବଂ ପବିତ୍ର ମାଉସୀ ମା ମନ୍ଦିର ରହିଛି ।ପ୍ରତି ଦିନ ଏହି ରାସ୍ତା ଦେଇ ଶହ ଶହ କୋମଳମତି ଶିଶୁ , ମହିଳା ଓ ଶ୍ରଦ୍ଧାଳୁମାନେ ଯାତାୟାତ କରୁଥିବା ରୁ ମଦ୍ୟପକ ଭିଡ଼ ଯୋଗୁଁ ସ୍ଥାନୀୟ ସାମାଜିକ ପରିବେଶ ନଷ୍ଟ ହେଉଛି। ଏହା ବ୍ୟତୀତ ଏହି ଜନଗହଳିପୂର୍ଣ୍ଣ ରାସ୍ତାଟି ସିଧାସଳଖ ମଣ୍ତାପାଳ ମେଡିକାଲ କୁ ସଂଯୋଗ କରୁଛି। ଦୋକାନ ଆଗରେ ଅନିୟନ୍ତ୍ରିତ ଭିଡ଼ ଯୋଗୁଁ ପ୍ରତିଦିନ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ଯାହା ମେଡିକାଲ ଯାଇଥିବା ଜରୁରୀକାଳିନ ରୋଗୀ ଓ ଆମ୍ବୁଲାନ୍ସ ପାଇଁ ବଡ଼ ବାଧା ସାଜିଛି। ଅବକାରୀ ନିୟମ ଅନୁଯାୟୀ ଶିକ୍ଷା ଅନୁଷ୍ଠାନ ଓ ଧାର୍ମିକ ସ୍ଥଳ ନିକଟରେ ମଦ ଦୋକାନ ଖୋଲିବା ବେଆଇନ୍। ତେଣୁ ସ୍ଥାନୀୟ ପ୍ରଶାସନ ତୁରନ୍ତ ଏଥିପ୍ରତି ଧ୍ୟାନ ଦେଇ ଏହି ମଦ ଦୋକାନ କୁ ତାଳଚେର ଟାଉନ୍ ବାହାରକୁ ସ୍ଥାନାନ୍ତର କରିବାକୁ ବୃଦ୍ଧିଜିବୀ ଓ ଜନସାଧାରଣ ଦାବି କରିଛନ୍ତି। ନଚେତ୍ ଆଗାମୀ ଦିନରେ ବ୍ୟାପକ ଜନଆନ୍ଦୋଳନ ହେବ ବୋଲି ଚେତାବନୀ ଦିଆଯାଇଛି।
