ବ୍ୟବସ୍ଥିତ ଏସ୍.ଆଇ.ଆର୍ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ଅନ୍ତର୍ଭୁକ୍ତି ସୁନିଶ୍ଚିତ
ଛତ୍ରପୁର, ତା. ୩୦/୦୬: ନିର୍ବାଚନ ପ୍ରକ୍ରିୟାର ସ୍ୱଚ୍ଛତା, ନିର୍ଭୁଲତା ଏବଂ ବିଶ୍ୱସନୀୟତା ବଜାୟ ରଖିବା ଉଦ୍ଦେଶ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍.ଆଇ.ଆର୍) କାର୍ଯ୍ୟକ୍ରମକୁ ଅଧିକ ସୁଦୃଢ଼ ଓ ସ୍ୱଚ୍ଛ କରିବା ପାଇଁ ଆଜି ଛତ୍ରପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା।
ଭୋଟ ଦେବାପାଇଁ ଯୋଗ୍ୟ ହୋଇ ମଧ୍ୟ ଭୋଟର ତାଲିକାରେ ସାମିଲ ହୋଇପାରିନଥିବା ନାଗରିକଙ୍କୁ ଅନ୍ତର୍ଭୁକ୍ତ କରିବା, ନୂତନ ମତଦାତାଙ୍କ ପଞ୍ଜୀକରଣ, ମୃତ, ଅଯୋଗ୍ୟ ଓ ସ୍ଥାୟୀ ଭାବେ ସ୍ଥାନାନ୍ତରିତ ଭୋଟରଙ୍କ ନାମ ବିଲୋପ କରିବା ସହିତ ଭୋଟର ତାଲିକାକୁ ସମ୍ପୂର୍ଣ୍ଣ ତ୍ରୁଟିମୁକ୍ତ କରିବା ନିମନ୍ତେ ଉପଲବ୍ଧ ସୁବିଧା ଓ ପ୍ରକ୍ରିୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।
ଏହି ଅବସରରେ ପଦାଧିକାରୀମାନେ କହିଥିଲେ ଯେ, ସଠିକ୍ ଭୋଟର ତାଲିକା ପ୍ରସ୍ତୁତିରେ ରାଜନୈତିକ ଦଳ ଏବଂ ସେମାନଙ୍କ ଅଧିକୃତ ପ୍ରତିନିଧିଙ୍କ ସକ୍ରିୟ ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସାମିଲ କରିବା ସହ ଅଯୋଗ୍ୟ ନାମଗୁଡ଼ିକୁ ବିଲୋପ କରିବାରେ ସମସ୍ତଙ୍କ ସହଯୋଗ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବ। ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କ ବିଭିନ୍ନ ପ୍ରଶ୍ନର ସବିଶେଷ ଉତ୍ତର ମଧ୍ୟ ପଦାଧିକାରୀମାନେ ପ୍ରଦାନ କରିଥିଲେ।
ଗତ ମେ’ ୩୦ ତାରିଖରୁ ଆରମ୍ଭ ହୋଇଥିବା ପରିଗଣନା ଫର୍ମ ପୂରଣ କାର୍ଯ୍ୟ ଚଳିତ ଜୁନ୍ ୨୮ ତାରିଖରେ ସଫଳତାର ସହ ସମାପ୍ତ ହୋଇଛି। ଆସନ୍ତା ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ। ଏହା ପରେ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଭୋଟର ତାଲିକା ସମ୍ବନ୍ଧୀୟ ଦାବି ଓ ଆପତ୍ତି ଦାଖଲ କରାଯାଇପାରିବ। ଦାଖଲ ହୋଇଥିବା ସମସ୍ତ ଦାବି ଓ ଆପତ୍ତିର ଶୁଣାଣି ଏବଂ ବିଚାର ସେପ୍ଟେମ୍ବର ୨ ତାରିଖ ପର୍ଯ୍ୟନ୍ତ କରାଯିବ। ତେଣୁ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାରେ କୌଣସି ଯୋଗ୍ୟ ମତଦାତା ବାଦ ପଡ଼ିବାର ସମ୍ଭାବନା ନାହିଁ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା।
ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଦେବଦତ୍ତ ପଣ୍ଡା ଏସ୍.ଆଇ.ଆର୍ ପ୍ରକ୍ରିୟାର ବିଭିନ୍ନ ଦିଗ ଉପରେ ବିସ୍ତାର ସହ ଆଲୋକପାତ କରିଥିଲେ। ବାସ୍ତବରେ ବିଷୟଭିତ୍ତିକ ଉପସ୍ଥାପନା ବୈଠକକୁ ଫଳପ୍ରଦ କରିଥିଲା। ଶେଷରେ ଡେପୁଟି କଲେକ୍ଟର ଶ୍ରୀ ଅରୁଣ କୁମାର ଖଣ୍ଡା ସମସ୍ତ ଉପସ୍ଥିତ ପ୍ରତିନିଧି ଓ ପଦାଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ।
