
ପାରଳା ବିଧାୟକ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଶତାୟୁ ଛାତ୍ରାବାସର ସ୍ଥିତି ଅନୁଧ୍ୟାନ କଲେ ।
ଗଜପତି (ଟିକି ଲିମା)
ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମହାବିଦ୍ୟାଳୟର ଶତାୟୁ ଛାତ୍ରାବାସର ସ୍ଥିତି ଅନୁଧ୍ୟାନ କଲେ ବିଧାୟକ ଇଂ ରୂପେଶ ପାଣିଗ୍ରାହୀ। ଦେଶ ସ୍ବାଧୀନ ହେବାର ୩୫ ବର୍ଷ ପୂର୍ବେ ୧୯୧୨ରେ ପାରଳା ମହାରାଜା ନିର୍ମାଣ କରିଥିଲେ ଛାତ୍ରାବାସ, କଲେଜ ସ୍ଥାପନ କରିବା ସହିତ ଦୂର ଦୂରାନ୍ତରୁ କଲେଜ ପାଠ ପଢିବା ପାଇଁ ଆସୁଥିବା ୧୨୦ରୁ ଉର୍ଦ୍ଧ୍ବ ଛାତ୍ରଙ୍କ ରହିବା ଖାଇବା ବ୍ୟବସ୍ଥା ପାଇଁ ୪୨ କୋଠରୀ ବିଶିଷ୍ଟ ଛାତ୍ରାବାସ ନିର୍ମାଣ କରିଥିଲେ ଗଜପତି ମହାରାଜ। ହେଲେ ଏବେ ଏହାର ରକ୍ଷଣାବେକ୍ଷଣର ଅଭାବ ଦେଖା ଦେଇଛି। ଅନେକ ବର୍ଷ ହେଲା କୋଠରୀ ଗୁଡିକରେ ରଙ୍ଗ ଦିଆଯାଇ ନଥିବା ବେଳେ ହୋଷ୍ଟେଲ ପରିସର ଘାସ ବୁଦାରେ ପରିପୂର୍ଣ୍ଣ ହୋଇ ଅତ୍ୟନ୍ତ ବିପଦ ସଂକୁଳ ହୋଇ ରହିଥିବା ବେଳେ ପରିସରରେ ପର୍ଯ୍ୟାପ୍ତ ଆଲୋକ ବ୍ୟବସ୍ଥା ନାହିଁ, ଶୈଚାଳୟ ଓ ଗାଧୁଆଘର ଦୟନୀୟ ହୋଇ ପଡ଼ିଛି। ଖେଳକୁଦ ପାଇଁ ଅନ୍ତେବାସୀଙ୍କ ପାଇଁ ପ୍ରୋତ୍ସାହନ ନାହିଁ। ଏଭଳି ବିଭିନ୍ନ ସମସ୍ୟା ମଧ୍ୟରେ ପିଲାମାନେ ଏହି ଛାତ୍ରରାବାସରେ ରହି ପାଠପଢୁଛନ୍ତି। ଆଜି ଯାଏଁ କୈଣସି ପ୍ରଶାସନୀକ ଅଧିକାରୀ କିମ୍ବା ରାଜନେତା ଏଠାକାର ସମସ୍ୟା ଉପରେ ଦୃଷ୍ଟି ଦେଇ ନଥିବା ସ୍ଥଳେ ବିଧାୟକ ହଠାତ୍ ଛାତ୍ରାବାସ ଭିତରେ ପ୍ରବେଶ କରି କୋଠରୀ ଗୁଡିକ, ରୋଷେଇ ଘର, ଶୈଚାଳୟ, ଗାଧୁଆଘର ବୁଲି ଦେଖିଥିଲେ ଓ ଅନ୍ତେବାସୀ ଓ ହୋଷ୍ଟେଲ ଦାୟିତ୍ଵରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଛାତ୍ରାବାସର ସମସ୍ୟାର ସମାଧାନ ଓ ଏହାର ପୁନରୁଦ୍ଧାର ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ବିଭାଗୀୟ କର୍ତୃପକ୍ଷଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି ବିଧାୟକ।
