ଖଣି ବିଭାଗ ତରଫରୁ ଡମ୍ଫର ଜବତ୍ ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର):::: ସୋର ଥାନା ମହୁମୁହାଣ ପଥର ଖାଦାନ ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଖଣି ବିଭାଗ ତରଫରୁ ଚଢ଼ାଉ କରାଯାଇ ତିନୋଟି ପଥର ବୋଝେଇ ଡମ୍ପର, ଏକ ପୋକଲିନ ଏବଂ ଏକ ୱାଗନ ମେସିନକୁ ଜବତ କରିଥିବା ଜଣାପଡିଛି। ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାଲେଶ୍ୱର ଖଣି ଅଧିକାରୀ ଜଗନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ମହୁମୁହାଣ ସାଇଡରେ ଥିବା ୪୨ ନମ୍ବର କ୍ଵାରୀ ସମେତ ବିଭିନ୍ନ ସ୍ଥାନରେ ଏକ ସଙ୍ଗେ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଏହି ଟିମ ୪୨ ନମ୍ବର କ୍ଵାରିରୁ ବ୍ଲାଷ୍ଟିଂ ପାଇଁ ବ୍ୟବହୃତ ୱାଗନ ମେସିନ, ନିକଟରେ ଥିବା ଅନ୍ୟ ଏକ କ୍ଵାରୀରୁ ଏକ ପୋକଲିନ ଜବତ କରିଥିଲେ। ସେହିପରି ଖାଦାନ ରାସ୍ତାରୁ ଓଡି ୦୧ ୟୁ ୫୦୫୧,ଓଆର ୦୪ ଏଫ ୬୬୦୭ ଏବଂ ଓଡି ୦୧ ଏନ ୨୩୨୩ ନମ୍ବର ବିଶିଷ୍ଟ ଡମ୍ପର ଗୁଡିକ ବେଆଇନ ପଥର ବୋଝେଇ କରି ଆସୁଥିବା ବେଳେ ଏହି ଟିମ ଗାଡି ଗୁଡିକୁ ଜବତ କରି ସୋର ଥାନାରେ ଜିମା ଦେଇଥିଲେ। ଏହି ଚଢ଼ାଉରେ କନିଷ୍ଠ ଖଣି ଅଧିକାରୀ ଜଗନ୍ନାଥ ଦାସ,ସମ୍ବିତ କୁମାର ମଣି ଖଇରା ଖଣି ଅଧିକାରୀ ଅଭିଷେକ ବେହେରାଙ୍କ ସମେତ ରିଜର୍ଭ ପୁଲିସ ଫୋର୍ସ ସାମିଲ ହୋଇଥିଲେ।
