ଜୀବନଖୋଲର ବାବା ଜୀବନେଶ୍ୱର ।
(ନିପ୍ର ଗୋକୁଳାନନ୍ଦ ବେହେରା)ଢେ଼ଙ୍କାନାଳ ଓଡ଼ାପଡ଼ା : ଢେ଼ଙ୍କାନାଳ ଜିଲ୍ଲାର ଓଡ଼ାପଡ଼ା ବ୍ଲକ ପୋଡ଼ାପଡ଼ା ଗ୍ରାମରେ ଏକ ସଂରକ୍ଷିତ ଜଙ୍ଗଲ ଜୀବନଖୋଲ ଜଙ୍ଗଲ ଏହି ଜଙ୍ଗଲରେ ବିରାଜିତ ବାବା ଜୀବନେଶ୍ୱର । ପୁଣ୍ୟଭୂମି ଉତ୍କଳର ପାହାଡ ପର୍ବତ କନ୍ଦରରେ ବହୁପୁରାତନ ଓ ନୂତନ ଦେବାଳୟ ରହିଛି ସେଥିମଧ୍ୟରୁ ଜୀବନଖୋଲ ଶୈବପୀଠ ଅନ୍ୟତମ । କଟକ ସମ୍ବଲପୁର ଜାତୀୟ ରାଜପଥ ୫୫ ନମ୍ୱର ରାସ୍ତାଦେଇ ଯାଇ ଥିବାବେଳେ ଢେ଼ଙ୍କାନାଳ ଠାରୁ ଏହାର ଦୂରତା ୨୨ କିଲୋମିଟର । ଏକ ସୁରଗମ୍ୟ ସ୍ଥାନର ପରିଚୟ ପ୍ରଦାନ କରେ ରାସ୍ତା କଡ଼ରେ ଥିବା ଏକ ବିରାଟକାୟ ବୃଷଭ ମୂର୍ତ୍ତୀ। ଜାତୀୟ ରାଜପଥ ଠାରୁ ପ୍ରାୟ ୫୦ଫୁଟ ଉଚ୍ଚ ଦୂରରେ ରହିଛି ଏହି ତ୍ରିକୋଣ ଭୂମି । ଯେଉଁଠି ଦେଖିବାକୁ ମିଳିଛି ସୁଶୀତଳ ଜଳଭଣ୍ଡାର । ପ୍ରଭୁ ଶିବଙ୍କ କୃପାଲାଭ କରିଥିବା ଏହି ସୁଶୀତଳ ଜଳଭଣ୍ଡାରରୁ ଥରୁଟିଏ ଯିଏ ଥରେ ଏହି ପାଣିପିଇଛି ସତେ ଯେମିତି ନିର୍ଜୀବ ଜୀବନ ପାଇଲା ପରି ଅନୁଭବ କରେ । ସେଥିପାଇଁ ଏହି ସ୍ଥାନର ନାମ ସ୍ଥାନୀୟ ଲୋକମାନେ ହିଁ ତାଙ୍କ ହିସାବରେ ଏହି ସ୍ଥାନର ନାମ ଜୀବନଖୋଲ ରଖିଛନ୍ତି ଏବଂ ବାବା ଜୀବନେଶ୍ଵରଙ୍କର ପୀଠରେ ପାଳିତ ହେଉଥିବା ପର୍ବ ମାନଙ୍କ ମଧ୍ୟରେ ରହିଛି ମାର୍ଗଶିର ମାସର ଏକାଦଶୀ ତିଥିରେ ଗୀତା ଜୟନ୍ତୀ,ଗଣେଶ ଚତୁର୍ଥୀ ତିନି ଦିନ ଧରି ଅଷ୍ଟପ୍ରହରୀ ନାମ,ଯଜ୍ଞ,ମହାବିଷୁବ ସଂକ୍ରାନ୍ତି ଅବସରରେ ହନୁମାନ ଜୟନ୍ତୀ,ଦଶହରା ପର୍ବରେ ନବରାତ୍ର,ପାରାୟଣ,ଯଜ୍ଞ,ଶିବ ବିବାହ,ମହାଶିବରାତ୍ରି ଇତ୍ୟାଦି ଏହି ବାବା ଜୀବନେଶ୍ୱରଙ୍କ ମନ୍ଦିରରେ ପାଳିତ ହୁଏ । ଲୋକକଥା କିମ୍ବଦନ୍ତୀ ଅନୁସାରେ ୨୦୦ ବର୍ଷ ପୂର୍ବେ ଜୀବନ ନାମକ ଏକ ଗୋପାଳ ସେ ବୈଶାଖ ମାସରେ ଗାଈ ଚରାଇ ଆସିଥିଲା । ଗାଈ ଚରାଉ ଥିଲାବେଳେ ତାକୁ ବାଘ ନେଇଗଲା। ଗାଁ ଲୋକେ ଯେତେବେଳେ ଜୀବନକୁ ଖୋଜିଲେ ତାକୁ ପାଇଲେ ନାହିଁ । ଆସି ଦେଖେତ ତାକୁ ବାଘ ନେଇ ଯାଇଛି । ସେହି ଦିନଠାରୁ ସେହି ଜୀବନ ନାମକ ନାଁରୁ ଏହାର ନାଁ ହୋଇଛି ଜୀବନଖୋଲ । ତିନି ପାଖର ପାହାଡଟି ପ୍ରାଚୀର ସଦୃଶ ଘେରି ରହିଥିବାରୁ ହିଂସ୍ର ଜୀବଜନ୍ତୁ ସ୍ୱାପଦ ପରିପୂର୍ଣ୍ଣ ଥିଲା ତଥାପି ସାଧୁ ହରିହର ଦାସ ଏହି ସ୍ଥାନରେ ଆଶ୍ରମକରି ରହିବା ସହ ଆଶ୍ରମରେ ପ୍ରତ୍ୟେକ ଦିନ ଗୀତା,ଭାଗବତ ଆଲୋଚନା କରନ୍ତି । ଅଞ୍ଚଳର ଲୋକମାନେ ଏଠାରେ ବିବାହ,ବ୍ରତଘର ଆଦି ସମ୍ପାଦନା କରନ୍ତି । ବର୍ତ୍ତମାନ ସେହି ସ୍ଥାନରେ ପାକଶାଳା,ଯଜ୍ଞମଣ୍ଡପ,ବିଶ୍ରାମସ୍ଥଳ ଓ ହନୁମାନଙ୍କର ମୂର୍ତ୍ତୀ ସ୍ଥାପନ ହୋଇଛି । ବାରମାସରେ ତେର ପର୍ବ ପାଳନ ଏଠାରେ ପାଳନ ହୁଏ ।ଜୀବନଖୋଲ ସାଧୁସନ୍ଥଙ୍କ ଆଶ୍ରୟସ୍ଥଳୀ ତଥା ଭାଗବତ ସାଧନାର ଏକ କେନ୍ଦ୍ରବିନ୍ଦୁ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଧାନପୀଠ । ଏହି ସୁନ୍ଦରଖୋଲର ପ୍ରାକୃତିକ ପରିବେଶ ଶୋଭାର ଯିଏ ଅନୁଭବ କରିଛି ସେ କେବେ ଭୁଲି ପାରିବ ନାହିଁ । ସୃଷ୍ଟିର କେଉଁ ଯୁଗରୁ ମୁକସାକ୍ଷୀ ପରି ରହିଛି ଏହି ଜୀବନଖୋଲ ଆଶ୍ରମ । କିନ୍ତୁ ବର୍ତ୍ତମାନ ଅଞ୍ଚଳବାସୀ ଓ ସାଧୁସନ୍ଥମାନେ ଜିଲ୍ଲାପ୍ରଶାସନ ଓ ସଂସ୍କୃତି ବିଭାଗକୁ ନିବେଦନ କରିଛନ୍ତି ଯେ ଜୀବନଖୋଲ ଆଶ୍ରମଟି ଯଦି ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଏ ସେହି ସ୍ଥାନର ସମୃଦ୍ଧି ହେବା ସହିତ ସରକାରଙ୍କର ରାଜସ୍ବ ମଧ୍ୟ ବୃଦ୍ଧି ହେବ ସେଥିଯୋଗୁଁ ସରକାର ଏଥି ପ୍ରତି ଦୃଷ୍ଟି ଦେବା ପାଇଁ ବୁଦ୍ଧିଜିବୀ ମହଲରେ ମତ ପ୍ରକାଶ ପାଇଛି।
