ମହିଳା ଙ୍କ ନିକଟରୁ ସୁନା ରୂଣ ଠକେଇ ଅଭିଯୋଗ
ସୋର (ଭଞ୍ଜଦୂତ, ଜ୍ୟୋତିପ୍ରକାଶ ଦୀକ୍ଷିତ, ନିପ୍ର)::: ଅନନ୍ତପୁର ଥାନା ପୁଡାଡିହା ଗ୍ରାମର ଶୁଭଶ୍ରୀ ସାହାଣୀ
ଉତ୍ତରେଶ୍ୱର ସ୍ଥିତ ମୁଥୁଟ ଫିନକର୍ପରୁ ଗତ ୨୦୨୫ ମସିହା ଏପ୍ରିଲ ୨୬ ତାରିଖରେ ଗହଣା ବନ୍ଧକ ରଖି ୪ ଲକ୍ଷ ଟଙ୍କା ଋଣ ନେଇଥିଲେ। କିନ୍ତୁ ପ୍ରତ୍ୟେକ ମାସ ୪ ହଜାର ଟଙ୍କା ସୁଧ ଭାବରେ ବ୍ରାଞ୍ଚରେ ମୁତୟନ ହୋଇଥିବା କର୍ମଚାରୀଙ୍କୁ ପ୍ରଦାନ କରନ୍ତି।ଗତ ୨୦୨୬ ଏପ୍ରିଲ ୨୬ ତାରିଖରେ ବ୍ରାଞ୍ଚ ପକ୍ଷରୁ ତାଙ୍କୁ ରିନୁଆଲ କରିବା ପାଇଁ ଡାକିଥିଲେ। ଶୁଭଶ୍ରୀ ପହଞ୍ଚିବା ପରେ ବ୍ରାଞ୍ଚ ପକ୍ଷରୁ ସୁନା ଦର ବଢିଥିବାରୁ ତାଙ୍କର ଅଧିକ ଋଣ ହୋଇଥିବା କଥା କହିବାରୁ ଶୁଭଶ୍ରୀ ଉକ୍ତ ଟଙ୍କା ନବାକୁ ମନା କରିଥିଲେ। କିନ୍ତୁ ବ୍ରାଞ୍ଚ ତରଫରୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏକ ଲକ୍ଷ ୧୪ ହଜାର ଟଙ୍କାଅଧିକ ଋଣ ପଠାଇଥିଲେ।ଶୁଭଶ୍ରୀ ଉକ୍ତ ଟଙ୍କା ନବାକୁ ମନା କରିବାରୁ ଶାଖା ପରିଚାଳକ ତାଙ୍କ କାର୍ଯ୍ୟାଳୟରେ ୯୦ ହଜାର ଟଙ୍କା ତାଙ୍କର ଜଣେ କର୍ମଚାରୀଙ୍କ ଆକାଉଣ୍ଟ କୁ ଟ୍ରାନ୍ସଫର କରିବା ପରେ ଅଧିକ ୨୪ ହଜାର ଟଙ୍କା ଶୁଭଶ୍ରୀ ଏଟିଏମରୁ ଉଠାଇ ବ୍ରାଞ୍ଚରେ ଡିପୋଜିଟ କରିଥିଲେ। କିନ୍ତୁ ଗତ ୯ ତାରିଖରେ ଶୁଭଶ୍ରୀ ଟଙ୍କା ଶୁଝିବା ପାଇଁ ବ୍ରାଞ୍ଚକୁ ଯାଇଥିବା ବେଳେ ତାଙ୍କର ୫ ଲକ୍ଷ ୪୦ ହଜାର ଟଙ୍କା ଋଣ ହୋଇଥିବା ଜାଣି ଆଶ୍ଚର୍ଯ୍ୟ ହୋଇଥିଲେ।ଏହାପରେ ସେ ଶାଖା ପରିଚାଳକଙ୍କୁ ଏ ବାବଦରେ ପଚାରିବାରୁ ସେଠାରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀ କଣ କରିଛନ୍ତି ମୁଁ ଜାଣିନାହିଁ ବୋଲି କହିଥିଲେ।ପରବର୍ତ୍ତୀ ଅବସ୍ଥାରେ ଶାଖା ପରିଚାଳକ ଶୁଭଶ୍ରୀଙ୍କୁ ଡାକି ଅଧିକ ଋଣ ଟଙ୍କା ଜୁନ ୧୫ ତାରିଖ ସୁଦ୍ଧା ତାଙ୍କ ଋଣ ଆକାଉଣ୍ଟରେ ଡିପୋଜିଟ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଆଜି ଶୁଭଶ୍ରୀ ଶାଖାରେ ପହଞ୍ଚି ନିରାଶ ହେବା ପରେ ସୋର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ମୂଳେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
