ସାରସକଣା,ଜାମଶଳା (ଅନିଲ କୁମାର ସାହୁ): ଆସନ୍ତା ୧୨ ତାରିଖରୁ ୨୧ ଯାଏଁ ଜିଲ୍ଲାରେ ‘ ବିକାଶ ବାହନ ‘ ରଥ ପରିକ୍ରମା କରିବ।ସୋମବାର ଏ ନେଇ ଜିଲ୍ଲାପାଳ ହେମକାନ୍ତ ସିଏଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୃତି ବୌଠକ ଅନୁଷ୍ଠିତ ହୋଇଯାଇଛି। ଏହି ରଥ ଲୋକଙ୍କୁ ସଚେତନ କରିବ।ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଗୁଡିକ ବ୍ୟାନର ପୋର୍ଷ୍ଟର ମାଧ୍ୟମରେ ପ୍ରଦର୍ଶନ କରାଯିବା ସହିତ ଏଲଇଡି ଜରିଆରେ ବିଭିନ୍ନ ଯୋଜନା ସମ୍ବନ୍ଧରେ ବିସ୍ତୃତ ସୂଚନା ପ୍ରଦର୍ଶନ କରାଯାଇ ଲୋକଙ୍କୁ ସଚେତନ କରାଯିବ।ଏହାବ୍ୟତୀତ ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରି ହେଉଥିବା ବିଭିନ୍ନ ଉନ୍ନତି ମୂଳକ ଯୋଜନାର ଉପଲବ୍ଧି ସମ୍ବନ୍ଧରେ ମଧ୍ୟ ଲୋକଙ୍କୁ ଅବଗତ କରାଯିବ।ଏହି ବିକାଶ ବାହନ ପର୍ଯ୍ୟାୟ କ୍ରମେ ଜିଲ୍ଲାର ସମସ୍ତ ଗ୍ରାମପଞ୍ଚାୟତରେ ପହଞ୍ଚି ଲୋକମାନଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ନେଇ ଅବଗତ କରିବ।ହିତାଧିକାରୀଙ୍କୁ ସେହି ସ୍ଥାନରେ ଯୋଜନାର କାଡ,ପ୍ରମାଣ ପତ୍ର ବଣ୍ଟନ ଓ ଅନ୍ୟାନ୍ୟ ସହାୟତା ଯୋଗାଇ ଦିଆଯିବା ସହ ହିତାଧିକାରୀଙ୍କ ଠାରୁ ସେହି ସ୍ଥାନରେ ତୁରନ୍ତ ଆବେଦନ ପତ୍ର ମଧ୍ୟ ଗ୍ରହଣ କରାଯିବ।ଏହି କାର୍ଯ୍ୟକ୍ରମରେ ମୂଳ ଲକ୍ଷ୍ୟ ସମସ୍ତ ଲୋକଙ୍କୁ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ପ୍ରତ୍ୟେକଙ୍କୁ ସଚେତନ କରାଇବା ଓ ଧାଡ଼ିର ଶେଷ ଲୋକ ପାଖରେ ଯୋଜନାକୁ ପହଞ୍ଚାଇବା।ଏହି ବିକାଶ ବାହନ ରଥ ଜିଲ୍ଲାର ପ୍ରତ୍ୟେକ ବ୍ଲକ ସଦର ମହକୁମାରେ ଆସନ୍ତା ୧୨ ତାରିଖରେ ଶୁଭାରମ୍ଭ ହେବ ଏବଂ ପ୍ରତ୍ୟେକ ଦିନ ବ୍ଲକର ୩ଟି କିମ୍ବା ୪ଟି ଗ୍ରାମ ପଞ୍ଚାୟତ ପରିକ୍ରମା କରି ସାଧାରଣ ଲୋକଙ୍କୁ ସଚେତନ କରାଯିବ।ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୌଠକରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଧର୍ମାନନ୍ଦ ବେହେରା, ଅତିରିକ୍ତ ଜିଲ୍ଲାପାଳ ଇଶ୍ଵର ଚନ୍ଦ୍ର ନାଏକ,ବାରିପଦା ଉପଜିଲ୍ଲାପାଳ ଡ଼:ଦୟାସିନ୍ଧୁ ପରିଡ଼ା, ଏସିଡିଓ ଶାନ୍ତନୁ କୁମାର ନାୟକଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
