ପଟ୍ଟନାୟକ ପ୍ରେକ୍ଷାଳୟରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ
ଦେବଗଡ଼ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଜି ଦେବଗଡ଼ ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରାଯାଇଛି। ଏହି ଅବସରରେ ଦେବଗଡ଼ ପୌରାଞ୍ଚଳସ୍ଥ ବିଜୁ ପଟ୍ଟନାୟକ ପ୍ରେକ୍ଷାଳୟରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।
ଜିଲ୍ଲା ଯୋଗାଣ ଅଧିକାରୀ କିଶୋର ମହାରଣାଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ପରୀକ୍ଷିତ ସାହୁ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ବେହେରା, ତିଲେଇବଣି ବ୍ଲକ ଅଧ୍ୟକ୍ଷା ବୃନ୍ଦାବତୀ ଭୋଇ ଏବଂ ଭାରପ୍ରାପ୍ତ ପୌର ପରିଷଦ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ ପ୍ରମୁଖ ମଞ୍ଚାସୀନ ଥିଲେ।
ଯୋଜନାର ଶୁଭାରମ୍ଭ ପରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (SFSS) ଅନ୍ତର୍ଗତ ସମସ୍ତ ହିତାଧିକାରୀଙ୍କୁ ଅତିରିକ୍ତ ୫ କିଲୋଗ୍ରାମ ଚାଉଳ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଥିଲା। ଏହାଫଳରେ ହିତାଧିକାରୀମାନେ ପୂର୍ବରୁ ପାଉଥିବା ୫ କିଲୋଗ୍ରାମ ଚାଉଳ ପରିବର୍ତ୍ତେ ବର୍ତ୍ତମାନ ମୁଣ୍ଡପିଛା ୧୦ କିଲୋଗ୍ରାମ ଚାଉଳ ମାଗଣାରେ ପାଇବେ। ଏହି ଯୋଜନା ଚଳିତ ବର୍ଷ ଏପ୍ରିଲ ମାସରୁ କାର୍ଯ୍ୟକାରୀ ହେବ ବୋଲି ଜଣାପଡ଼ିଛି।
କାର୍ଯ୍ୟକ୍ରମରେ ୬୦ ଜଣ ହିତାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର କାର୍ଡ ବଣ୍ଟନ କରାଯାଇଥିଲା। ସେହିପରି ଖୋର୍ଦ୍ଧାରୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଜନାର ଶୁଭାରମ୍ଭ କରି କହିଥିଲେ ଯେ, “ଓଡ଼ିଶାର କୌଣସି ବ୍ୟକ୍ତି ଭୋକିଲା ଶୋଇବେ ନାହିଁ ଏବଂ କୌଣସି ଶିଶୁ ଅପପୁଷ୍ଟିର ଶିକାର ହେବେ ନାହିଁ”। ଏହି ଯୋଜନା ମାଧ୍ୟମରେ ଖାଦ୍ୟ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
କାର୍ଯ୍ୟକ୍ରମରେ ବହୁ ସଂଖ୍ୟକ ହିତାଧିକାରୀ, ସ୍ୱୟଂ ସହାୟକ ଗୋଷ୍ଠୀ (SHG) ମହିଳା ଓ ସାଧାରଣ ଜନତା ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ମନୋରଞ୍ଜନ ସୁତାର କାର୍ଯ୍ୟକ୍ରମଟି ପରିଚାଳନା କରିଥିଲେ।
— ସୁରେଶ ମାଝୀ, ଦେବଗଡ଼
