*ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ସ୍ୱାବଲମ୍ବୀ ନୂଆପଡ଼ା ଗଠନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ l*
ନୂଆପଡ଼ା(ମିଖାଏଲ ନନ୍ଦ)
ତା-୩୦/୦୫:
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆଜି ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ପ୍ରାଣୀ ସମ୍ପଦ ବିକାଶ ବିଭାଗର ମାସିକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡ଼ା. ସୁଖେନ୍ଦୁ ରାୟ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି ସମ୍ପର୍କରେ ବିସ୍ତୃତ ସମୀକ୍ଷା ଉପସ୍ଥାପନ କରିଥିଲେ।ବୈଠକରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ଅଧୀନରେ ବିଭିନ୍ନ ଯୋଜନା ପାଇଁ ୩୮୪ଟି କାର୍ଯ୍ୟାଦେଶକୁ ଅନୁମୋଦନ ମିଳିଥିବା ସୂଚନା ଦିଆଯାଇଥିଲା। ଏହାସହ ବୁଲା ଓ ଅସହାୟ ପ୍ରାଣୀମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରାଣୀ ଆମ୍ବୁଲାନ୍ସ ସେବା ଆରମ୍ଭ ପାଇଁ ମଞ୍ଜୁରୀ ମିଳିଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଥିଲେ। ଜିଲ୍ଲାରେ ପ୍ରାଣୀମାନଙ୍କ ସଫଳ ଅସ୍ତ୍ରୋପଚାର ଓ ଚିକିତ୍ସା ସେବା ପାଇଁ ପ୍ରାଣୀ ଚିକିତ୍ସକମାନଙ୍କ ଅକ୍ଲାନ୍ତ ପରିଶ୍ରମକୁ ସେ ପ୍ରଶଂସା କରିଥିଲେ।
‘ପ୍ରାଣୀ ପାଇଁ ଦିନଟିଏ’ କାର୍ଯ୍ୟକ୍ରମକୁ ଅଧିକ ପ୍ରଭାବଶାଳୀ କରି ଗ୍ରାମାଞ୍ଚଳରେ ପ୍ରାଣୀମାନଙ୍କ ଚିକିତ୍ସା, ଟିକାକରଣ ଏବଂ କୃମିନାଶକ ଔଷଧ ବଣ୍ଟନ କାର୍ଯ୍ୟକୁ ସୁଦୃଢ଼ କରିବାକୁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ପ୍ରାଣୀ ସମ୍ପଦ ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ଜିଲ୍ଲାର କୃତୀ ପ୍ରାଣୀ ପାଳକମାନଙ୍କୁ ଏହି ଅବସରରେ ଜିଲ୍ଲାପାଳ ସମ୍ବର୍ଦ୍ଧିତ କରିଥିଲେ। ସିନାପାଲି ବ୍ଲକ୍ର ଶ୍ରୀମତୀ ଲଳିତା ରଣା, ବୋଡେନ ବ୍ଲକ୍ର ପୂତନେ ବେହେରା (ବ୍ରଏଲର କୁକୁଡ଼ା ପାଳନ), ନୂଆପଡ଼ା ବ୍ଲକ୍ର କହ୍ନେଇ ମହାନନ୍ଦ, ଖରିଆର ବ୍ଲକ୍ର ଶକୁନ୍ତଳା ଘିବେଲା ଓ ମାଳତୀ ବନଛୋରଙ୍କୁ ଗୋପାଳନ କ୍ଷେତ୍ରରେ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା।ବୈଠକରେ ଜିଲ୍ଲାପାଳ ଗ୍ରୀଷ୍ମ ଋତୁକୁ ଦୃଷ୍ଟିରେ ରଖି ବୁଲା ଗୋରୁଗାଈଙ୍କ ପାଇଁ ପାଣିକୁଣ୍ଡ ବ୍ୟବସ୍ଥା କରିବା, ଘାସ ଚାଷକୁ ପ୍ରୋତ୍ସାହନ ଦେଇ ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା ଏବଂ ପ୍ରାଣୀ ପାଳକମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।ବୈଠକରେ ଜିଲ୍ଲାର ସମସ୍ତ ବ୍ଲକ୍ ପ୍ରାଣୀ ଚିକିତ୍ସା ଅଧିକାରୀ, ପ୍ରାଣୀ ଚିକିତ୍ସକ ଏବଂ ସମ୍ମାନିତ ପ୍ରାଣୀ ପାଳକମାନେ ଉପସ୍ଥିତ ଥିଲେ। ଶେଷରେ ଧନ୍ୟବାଦ ଅର୍ପଣ ସହ ବୈଠକ ସମାପ୍ତ ହୋଇଥିଲା।
