ମରଣଯନ୍ତା ପାଲଟିଛି ରଘୁନାଥପୁର ଗାନ୍ଧୀଛକ ରାସ୍ତା, ଘୋର ନିଦ୍ରାରେ ରାସ୍ତା ଓ ପୂର୍ତ୍ତ ବିଭାଗ।
ରଘୁନାଥପୁର(ନି.ପ୍ର): ରଘୁନାଥପୁର ବଜାର ଦେଇ ଜଗତସିଂହପୁର ସଦର ମହକୁମାକୁ ସଂଯୋଗ କରୁଥିବା ଶିର୍ଲୋ ଗାନ୍ଧୀଛକ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇ ମରଣଯନ୍ତା ପାଲଟି ଥିବାବେଳେ ବିଭାଗୀୟ ଅଧିକାରୀ ଙ୍କ ନଜର କୁ ଆସୁନଥିବା ପରି ମନେହେଉଛି। ଏହି ମୁଖ୍ୟ ରାସ୍ତା ଦେଇ ପ୍ରତିଦିନ ସମସ୍ତ ସରକାରୀ ଅଧିକାରୀ ମାନେ ଯାତାୟତ କରୁଥିଲେ ବି ବାବୁ ମାନଙ୍କ ଚାରି ଚକିଆ ଯାନରେ ବସି ଥିବାରୁ ଦୃଷ୍ଟି ପଡି ପାରୁନାହିଁ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି। ଏହି ଖାଲ ଖମା ରାସ୍ତାରେ ବହୁ ପଥଚାରୀଙ୍କ ଧନଜୀବନ ନଷ୍ଟ ହେଉଥିବା ନଜିର ରହିଛି। ଅନ୍ୟପକ୍ଷେ କୋଟି କୋଟି ଟଙ୍କା ବିନିମୟରେ କନ୍ଦରା ପାଟି ଠାରୁ ସାଦେଇପୁ୍ର ପର୍ଯ୍ୟନ୍ତ ରାସ୍ତାଟିର ଉଭୟ ପାର୍ଶ୍ୱରେ ଗାର୍ଡ଼ ଓ୍ବାଲ ନିର୍ମାଣ କରାଯାଇଥିଲେ ମଧ୍ୟ ଯାତାୟତ ପାଇଁ ରାସ୍ତାଟିର ମରାମତି କାର୍ଯ୍ୟ ହେଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏଥି ସହିତ କଟକ ପାରାଦ୍ୱୀପ ରାସ୍ତାର ରଘୁନାଥପୁର ଠାରୁ ଜଇପୁର ପର୍ଯ୍ୟନ୍ତ ଉଭୟ ପାର୍ଶ୍ୱ ଫୁଟପାଥରେ ୪ଇଞ୍ଚ ବହଳର ବାଲି ଜମି ରହିବା ଯୋଗୁଁ ବାରମ୍ବାର ଦୁର୍ଘଟଣାମାନ ଘଟୁଥିବା ଖବର ବିଭିନ୍ନ ଗଣମାଧ୍ୟମରେ ବହୁବାର ଖବର ପ୍ରକାଶନ ପରେ ମଧ୍ୟ କୈଣସି ପଦକ୍ଷେପ ନିଆ ଯାଇ ନଥିବାରୁ କନିଷ୍ଠ ଯନ୍ତ୍ରୀଙ୍କ କାର୍ଯ୍ୟର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ଏହି ରାସ୍ତାଟିର ଦାୟିତ୍ୱରେ ଥିବା ମାଣପୁର କନିଷ୍ଠଯନ୍ତ୍ରୀ ନିର୍ଦିଷ୍ଟ କିଛି ଠିକାଦାର ଙ୍କୁ ଧରି କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇ ପାରୁନଥିବାରୁ ତାଙ୍କୁ ଏଠାରୁ ତୁରନ୍ତ ଅନ୍ୟତ୍ର ବଦଳି କରିବାକୁ ସାଧାରଣରେ ଦାବି ହେଉଛି l ଏ ସମ୍ପର୍କରେ ଉଭୟ କନିଷ୍ଠ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀ ଙ୍କ ସହିତ ଯୋଗାଯୋଗ କରିଥିଲେ ବି ସେମାନଙ୍କ ଠାରୁ ଉତ୍ତର ଆସିବା ସମ୍ଭବ ପର ହୋଇନଥିଲା।
