କେ.ସିଂହପୁର ଲ୍ୟାମ୍ପସ୍ରେ ୭୫ ଲକ୍ଷ ଟଙ୍କା ଗବନ ଅଭିଯୋଗ : ପରିଚାଳନା ନିର୍ଦ୍ଦେଶକଙ୍କୁ ଭିଜିଲାନ୍ସ ଗିରଫ
(ରାୟଗଡ଼ା:ରମେଶ ଅଗ୍ରୱାଲ:ନିପ୍ର.)
ରାୟଗଡ଼ା ଜିଲ୍ଲାର କେ.ସିଂହପୁର ବୃହତ୍ ଅଞ୍ଚଳ ବହୁମୁଖୀ ସହକାରୀ ସମିତି (LAMPCS)ରେ ଆର୍ଥିକ ଅନିୟମିତତା ମାମଲାରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭିଜିଲାନ୍ସ ବିଭାଗ ୨୧ ମଇ ୨୦୨୬ ତାରିଖରେ କେ.ସିଂହପୁର ଲ୍ୟାମ୍ପସ୍ର ପରିଚାଳନା ନିର୍ଦ୍ଦେଶକ ତାରିଣୀ ପ୍ରସାଦ ତ୍ରିପାଠୀଙ୍କୁ ଗିରଫ କରିଛି।
ଭିଜିଲାନ୍ସର ତଦନ୍ତରେ ପ୍ରକାଶ ପାଇଛି ଯେ, ୨୦୨୪ ରୁ ୨୦୨୬ ମଧ୍ୟରେ ସେ ପ୍ରାୟ ୭୫ ଲକ୍ଷ ଟଙ୍କାର ଗବନ କରିଥିବା ଅଭିଯୋଗ ରହିଛି। ଅଭିଯୁକ୍ତ ତାରିଣୀ ପ୍ରସାଦ ତ୍ରିପାଠୀ ସରକାରୀ ଦଲିଲପତ୍ରରେ ହେରଫେର କରି ଏହି ଠକେଇ କରିଥିବା ଜଣାପଡ଼ିଛି।
ତଦନ୍ତରେ ଏହା ମଧ୍ୟ ସାମ୍ନାକୁ ଆସିଛି ଯେ, ଗବନ ହୋଇଥିବା ୭୫ ଲକ୍ଷ ଟଙ୍କା ସମିତିର ସାଧାରଣ ସଦସ୍ୟମାନଙ୍କ ସଞ୍ଚୟ ଓ ଜମା ରାଶି ଥିଲା। ଏହା ଫଳରେ ସମିତି ଉପରେ ନିର୍ଭରଶୀଳ ସ୍ଥାନୀୟ ଲୋକମାନେ ଆର୍ଥିକ ଭାବେ ପ୍ରଭାବିତ ହୋଇଛନ୍ତି।
ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ କେସ୍ ନମ୍ବର ୮, ତାରିଖ ୨୧.୦୫.୨୦୨୬ ଅନୁଯାୟୀ ଦୁର୍ନୀତି ନିବାରଣ ଆଇନ ୨୦୧୮ ଓ ବିଏନଏସ୍ ୨୦୨୩ ଅଧୀନରେ ମାମଲା ରୁଜୁ ହୋଇଛି। ଗିରଫ ପରେ ତାଙ୍କୁ ଆଜି କୋର୍ଟକୁ ପଠାଯାଇଛି।
ଘଟଣାର ଅଧିକ ତଦନ୍ତ ଜାରି ରହିଛି।
