କାଳ ବୈଶାଖୀର ତାଣ୍ଡବ ଲୀଳା
ମୟୂରଭଞ୍ଜ, ୨୧/୦୫ (ମଳୟ କୁମାର ଜେନା) : ଖୁଣ୍ଟା ବ୍ଲକ ଅନ୍ତର୍ଗତ ଡେଙ୍ଗାମ ଗ୍ରାମରେ ଘଟି ଯାଇଛି ଏକ ଅଭାବନୀୟ ଘଟଣା। ଆଜି ଅପରାହ୍ନରେ କାଳ ବୈଶାଖୀର ତାଣ୍ଡବ ଲୀଳା ଦେଖିବାକୁ ମିଳିଛି। ତାର ପ୍ରଭାବ ଗୋଟିଏ ଗରିବ ପରିବାରକୁ ସାମ୍ନା କରିବାକୁ ପଡ଼ିଛି। ଡେଙ୍ଗାମ ଗ୍ରାମର ଅନନ୍ତ ବାସ୍କେଙ୍କ ଚାଳ ଛପର ଘର ଉପରେ ଏକ ବିରାଟ ପାଗଡା ଗଛ ପଡ଼ି ଘରଟି ପୁରା ନଷ୍ଟ ହୋଇଯାଇଛି। ଘଟଣା ସମୟରେ ଘର ଭିତରେ ତାଙ୍କର ଦୁଇଟି ସନ୍ତାନ ରହିଥିବା ବେଳେ ଅନନ୍ତଙ୍କ ସ୍ତ୍ରୀ ଓ ଦୁଇଟି ସନ୍ତାନ ଘର ବାହାରେ ଥିଲେ । ଏହି ଘଟଣାରେ ଘର ଭିତରେ ଥିବା ଦୁଇଟି ସନ୍ତାନର ବିଶେଷ କିଛି କ୍ଷତି ହୋଇ ନଥିବା ବେଳେ ଚାଳ ଘରଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅନନ୍ତ ମୂଲ ଲାଗି ପରିବାର ଭରଣ ପୋଷଣ କରନ୍ତି। ତାଙ୍କ ପରିବାର କହିଲେ ଚାରୋଟି କନ୍ୟା ଓ ତାଙ୍କ ଧର୍ମ ପତ୍ନୀ । ଅତି ଦୁଃଖର ବିଷୟ ଏହା ଯେ ଏଭଳି ଏକ ଅସହାୟ ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରୀ ସ୍ତରରେ ପକ୍କା ଘର ଖଣ୍ଡିଏ ମିଳି ପାରି ନାହିଁ। ଯଦି ପକ୍କା ଘର ଟିଏ ମିଳି ଥାନ୍ତା ଆଜି ଏଭଳି ପରିସ୍ଥିତିର ସାମ୍ନା କରିବାକୁ ପଡ଼ି ନଥାନ୍ତା। ଭଗବାନଙ୍କ କୃପାରୁ ଆଜିର ଏ କାଳ ବୈଶାଖୀର ତାଣ୍ଡବ ଲୀଳାରେ କାହାରି ଜୀବନ ହାନି ହୋଇନାହିଁ ସିନା କିନ୍ତୁ ଆସବାବ ପତ୍ର, ଖାଦ୍ୟ ସାମଗ୍ରୀ ସମେତ ଅନେକ ଜିନିଷ ନଷ୍ଟ ହୋଇ ଯାଇଛି। ଏବେ ଏ କାଳ ବୈଶାଖୀର ତାଣ୍ଡବ ପରେ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ କି ଖାଇବାକୁ ଖାଦ୍ୟ ନାହିଁ। ସରକାରଙ୍କ ତରଫରୁ କେବେ ଏ ଅସହାୟ ପରିବାରକୁ ବାସ ଗୃହ କିମ୍ବା ଆର୍ଥିକ ସାହାଯ୍ୟ ମିଳିବ ସାଧାରଣରେ ଚର୍ଚ୍ଚା ଚାଲିଛି ।
