ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟକାରୀ ହେବ OSWAS : ଡିଜିଟାଲ୍ ଶାସନ ବ୍ୟବସ୍ଥାକୁ ମିଳିବ ଗତି, ହେବ ପେପରଲେସ୍ କାର୍ଯ୍ୟପ୍ରଣାଳୀ
ବୌଦ୍ଧ, ତା. ୨୦/୦୫:
ବୌଦ୍ଧ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ଅଧିକ ତ୍ୱରିତ, ସ୍ୱଚ୍ଛ ଓ ସୁବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ Odisha State Workflow Automation System (OSWAS) ର ସଫଳ କାର୍ଯ୍ୟାନ୍ବୟନ ପାଇଁ ଏକ ସମୀକ୍ଷା ବୈଠକ ଆଜି OSWAN ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅତିରିକ୍ତ ଜିଲ୍ଲାପାଳ, ବୌଦ୍ଧ ଅନିରୁଦ୍ଧ ପଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏହି ସମୀକ୍ଷା ବୈଠକରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଜିଲ୍ଲା ଓ ବ୍ଲକ୍ ସ୍ତରର ସମସ୍ତ ବିଭାଗୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର ଏବଂ ବୌଦ୍ଧ ଜିଲ୍ଲାର ସମସ୍ତ ଡେପୁଟି ଜିଲ୍ଲାପାଳ ଓ ସହକାରୀ ଜିଲ୍ଲାପାଳ ମାନେ ଯୋଗଦେଇଥିଲେ। ଭୁବନେଶ୍ୱରସ୍ଥିତ OCAC ସମ୍ମିଳନୀ କକ୍ଷରୁ OCAC ର ଡୋମେନ୍ ଆଡଭାଇଜର ସତ୍ୟ ରଞ୍ଜନ ସାହୁ ମଧ୍ୟ ଭର୍ଚୁଆଲ୍ ମାଧ୍ୟମରେ ବୈଠକରେ ସମ୍ମିଳିତ ହୋଇଥିଲେ। ଜିଲ୍ଲା ଇ-ଗଭର୍ଣାନ୍ସ ମ୍ୟାନେଜର ସମୀର କୁମାର ନାଏକ ସମଗ୍ର ବୈଠକକୁ ପରିଚାଳନା କରିଥିଲେ।
ବୈଠକର ଆରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ଜିଲ୍ଲା ଓ ବ୍ଲକ ର ସମସ୍ତ OSWAN ସମ୍ମିଳନୀ କକ୍ଷରେ ଉପସ୍ଥିତ ଅଧିକାରୀଙ୍କୁ ସ୍ୱାଗତ କରିଥିଲେ। ପରେ ସେ ବୌଦ୍ଧ ଜିଲ୍ଲାରେ OSWAS କାର୍ଯ୍ୟାନ୍ବୟନ ସମ୍ବନ୍ଧୀୟ ଏକ ବିସ୍ତୃତ PPT ଉପସ୍ଥାପନ କରିଥିଲେ। ସେ ଅବଗତ କରାଇଥିଲେ ଯେ ବୌଦ୍ଧ ଜିଲ୍ଲାର ସମସ୍ତ ୭୯ଟି ସରକାରୀ କାର୍ଯ୍ୟାଳୟରେ OSWAS ସଂରଚିତ କରାଯାଇସାରିଛି ଏବଂ ଏହା ମାଧ୍ୟମରେ ପେପରଲେସ୍ ଓ ସ୍ମାର୍ଟ ଅଫିସ୍ ବ୍ୟବସ୍ଥା ଦିଗରେ ଜିଲ୍ଲା ଦୃଢ଼ ପଦକ୍ଷେପ ନେଇଛି।ସମୀକ୍ଷା ବୈଠକରେ ୧ ଏପ୍ରିଲରୁ ୧୮ ମେ ପର୍ଯ୍ୟନ୍ତ ଫାଇଲ୍ ଓ ଡାକ ପ୍ରକ୍ରିୟାକରଣର ସ୍ଥିତି, ବିଭିନ୍ନ ବିଭାଗରେ OSWAS ବ୍ୟବହାର ହାର ଏବଂ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟରେ ସୁଚାରୁ ଡିଜିଟାଲ୍ ଶାସନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ OSWAN ସଂଯୋଗ ବିସ୍ତାରର ରୋଡମ୍ୟାପ୍ ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।ପରବର୍ତ୍ତୀ ସମୟରେ OCAC ର ଡୋମେନ୍ ଆଡଭାଇଜର ସତ୍ୟ ରଞ୍ଜନ ସାହୁ ବୌଦ୍ଧ ଜିଲ୍ଲାର OSWAS କାର୍ଯ୍ୟାନ୍ବୟନ ସ୍ଥିତିର ସମୀକ୍ଷା କରିଥିଲେ। ସେ OSWAS ର ସଫଳ ଓ ସୁଚାରୁ କାର୍ଯ୍ୟାନ୍ବୟନ ପାଇଁ ବିଭିନ୍ନ ସୂଚନାତ୍ମକ ଦିଗ ଉପସ୍ଥାପନ କରି କହିଥିଲେ ଯେ,“OSWAS କେବଳ ଏକ ସଫ୍ଟୱେର୍ ନୁହେଁ, ଏହା ସ୍ୱଚ୍ଛ, ଦ୍ରୁତ ଓ ଉତ୍ତରଦାୟୀ ପ୍ରଶାସନ ଗଠନର ଏକ ସାମୂହିକ ପ୍ରୟାସ।”ସେ ବୌଦ୍ଧ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟରେ OSWAS ର ଶତପ୍ରତିଶତ କାର୍ଯ୍ୟକାରୀ ବ୍ୟବହାର ସୁନିଶ୍ଚିତ କରିବା ସହ ଫାଇଲ୍ ଓ ଡାକ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ଡିଜିଟାଲ୍ ମାଧ୍ୟମକୁ ନେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଥିଲେ।ଏହି ପଦକ୍ଷେପ ଫଳରେ ବୌଦ୍ଧ ଜିଲ୍ଲାରେ ଇ-ଗଭର୍ଣାନ୍ସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ସରକାରୀ କାର୍ଯ୍ୟରେ ସ୍ୱଚ୍ଛତା, ଦ୍ରୁତତା ଓ ଦକ୍ଷତା ବୃଦ୍ଧି ପାଇବ ବୋଲି ଆଶା ପ୍ରକାଶ ପାଇଛି।
