ଦେବଗଡ଼ ଜିଲ୍ଲାପରିଷଦର ଷଷ୍ଠ ଅଧିବେଶନର ଦଶମ ବୈଠକ ଅନୁଷ୍ଠିତ
ଦେବଗଡ଼ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ବୁଧବାର ଜିଲ୍ଲାପରିଷଦର ଷଷ୍ଠ ଅଧିବେଶନର ଦଶମ ବୈଠକ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେନ୍ଦ୍ର କୁମାର ମିଞ୍ଜଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ଜିଲ୍ଲାପରିଷଦ ଉପସଭାପତି ଶ୍ରୀମତୀ ବର୍ଷାରାଣୀ ମୁଣ୍ଡା ଏବଂ ପୂର୍ବତନ ବିଧାୟକ ତଥା ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ସୁବାଷ ଚନ୍ଦ୍ର ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
ଜିଲ୍ଲାପାଳ ଶ୍ରୀ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରି ଜିଲ୍ଲାର ସାମଗ୍ରିକ ବିକାଶ ପାଇଁ ସମସ୍ତ ଜନପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ। ସେ ଜିଲ୍ଲାର ବିକାଶମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ବିଭିନ୍ନ ସରକାରୀ ଯୋଜନାର ସଫଳ କାର୍ଯ୍ୟକାରିତା ଉପରେ ଗୁରୁତ୍ୱାରୋପ କରିଥିଲେ।
ବୈଠକରେ ବିଗତ ଜିଲ୍ଲାପରିଷଦ ବୈଠକର କାର୍ଯ୍ୟାନୁଷ୍ଠାନର ପରିପାଳନ ଓ ଦୃଢୀକରଣ ସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, କୃଷି, ଖାଦ୍ୟ ଯୋଗାଣ, ଗ୍ରାମାଞ୍ଚଳ ବିଦ୍ୟୁତୀକରଣ, ପାନୀୟଜଳ ଯୋଗାଣ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ (ସଡ଼କ ଓ କୋଠାବାଡ଼ି), ଜଳସେଚନ, ଖଣି ବିଭାଗ, ଗୋହିରା ଡ୍ୟାମ ପ୍ରକଳ୍ପ, ଜଙ୍ଗଲ ବିଭାଗ, ଜିଲ୍ଲା ମଙ୍ଗଳ ବିଭାଗ, ଉଦ୍ୟାନ ବିଭାଗ, ଆଦିବାସୀ ଉନ୍ନୟନ ସଂସ୍ଥା, ପଶୁସମ୍ପଦ, ମତ୍ସ୍ୟ ବିଭାଗ, ମୃତ୍ତିକା ସଂରକ୍ଷଣ ଓ ଜଳଛାୟା, ସାମାଜିକ କଲ୍ୟାଣ, ଶ୍ରମ ଓ ନିଯୁକ୍ତି, ଶିଳ୍ପ, ଆଞ୍ଚଳିକ ପରିବହନ, ଅବକାରୀ, ଜିଲ୍ଲା ସାମାଜିକ ସୁରକ୍ଷା, ଜିଲ୍ଲା ଶିଶୁ ସୁରକ୍ଷା, ଜିଲ୍ଲା ଯୋଜନା ବିଭାଗ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା, ଓଡିଶା ଜୀବିକା ମିଶନ, ଗ୍ରାମୀଣ ଆବାସ ଯୋଜନା, ଦୀନଦୟାଳ ଉପାଧ୍ୟାୟ ଗ୍ରାମୀଣ କୌଶଳ ଯୋଜନା, ଡିଆରସିଏସ୍, ଏଲଡିଏମ୍ ଆଦି ବିଭିନ୍ନ ଯୋଜନା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା।
ବୈଠକରେ ଜିଲ୍ଲାପରିଷଦ ସଭ୍ୟା ଗୀତାଞ୍ଜଳି ପାଣି, ପୁଷ୍ପାଞ୍ଜଳି ସାମଲ, ସମରେନ୍ଦ୍ର ଜିତ୍, ରାଜେଶ ମହାନାୟକ, ରିଆମାଳ ପଞ୍ଚାୟତ ସମିତି ଅଧ୍ୟକ୍ଷ ମଧୁସୂଦନ ପ୍ରଧାନ, ବାରକୋଟ ପଞ୍ଚାୟତ ସମିତି ଅଧ୍ୟକ୍ଷା ପୁଷ୍ପାଞ୍ଜଳି ପାତ୍ର, ବିଭିନ୍ନ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
