ପୂର୍ତ୍ତବିଭାଗ ର କଚ୍ଛପ ଗତି , ପାରାଦ୍ୱୀପ ରାଜରାସ୍ତା ପାଲଟି ଗଲାଣି ବାଲିର ଫୁଟପାଥ।
ରଘୁନାଥପୁର(ନି.ପ୍ର): କଟକ ପାରାଦୀପ ରାଜ୍ୟ ରାଜପଥର ରାସ୍ତାଟି ଅବସ୍ଥା ଦିନକୁ ଦିନ ବିଗିଡ଼ି ଯିବାଦ୍ୱାରା ମହାନଦୀ ର ବାଲିଘାଟ ପରି ମନେହେଉଛି। ଏଭଳି ଅବସ୍ଥା ଦେଖି ବି ପୂର୍ତ୍ତବିଭାଗ କର୍ମଚାରୀ ନ ଦେଖିଲା ପରି ମନେ ହେଉଛି । ଏହି ରାସ୍ତା ଟିର ଉଭୟ ପଟରେ ଥିବା ଫୁଟପାଥରେ ୪ ଇଞ୍ଚ ମୋଟେଇ ବାଲିର ଆସ୍ତରଣ ଘୋଡ଼ାଇ ହୋଇ ରହିଛି, ଯାହାଦ୍ୱାରା ସାଇକେଲ, ବାଇକ ଓ ସ୍କୁଟି ଚାଳକ ମାନଙ୍କ ପାଇଁ ଏହା ମୃତ୍ୟୁ ର କାରଣ ପାଲଟିଛି। ରାସ୍ତାର ଉଭୟ ପାର୍ଶ୍ବରେ ଜମି ରହିଥିବା ବାଲି ଉଠାଇବା କାର୍ଯ୍ୟ ବର୍ଷକୁ ଥରେ ବି ହେଉନଥିବା ବେଳେ ଠିକାଦାର ଓ କନିଷ୍ଠ ଯନ୍ତ୍ରୀ ଙ୍କ ପକେଟ ପୁରା ଗରମ ହୋଇଯାଉଛି। ଜଗତସିଂହପୁର ପୂର୍ତ୍ତବିଭାଗ ର ଏଥିପ୍ରତି ଯେପରି ଆନ୍ତରିକତା ନଥିବା ଘଟଣା କୁ ନେଇ ରଘୁନାଥପୁର ବଜାର କମିଟିର ସମ୍ପାଦକ ତଥା ବୟୋଜ୍ଯେଷ୍ଠ ବ୍ୟକ୍ତି ପ୍ରଭାକର ଖଟୁଆ ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି। ଏହି ରାସ୍ତା ଉପରେ ପ୍ରତିଦିନ ମହାନଦୀ ବାଲି ଘାଟ ମାନଙ୍କ ରୁ ଶହ ଶହ ହାଇୱା ବାଲିଟ୍ରକ ବିଭିନ୍ନ ସ୍ଥାନକୁ ନେଇ ଯାଇଥାନ୍ତି। ଏହି ଯାତାୟାତ ସମୟରେ ସେଥିରୁ ବାଲି ସବୁ ଖସି ରାସ୍ତା ଉପରେ ଜମା ହୋଇଥାଏ। ରାସ୍ତାର ଉଭୟ ପଟରେ ପଡିଥିବା ବାଲି ରାସ୍ତା ଉପରୁ ସଫା ହେଉନଥିବାରୁ ଯାତାୟାତ ସମୟରେ ବିଭିନ୍ନ ହଇରାଣ ହେବା ସହିତ ଚାଳକଙ୍କ ପାଇଁ ସମସ୍ୟା ଦୁଇଗୁଣିତ ହୋଇପଡିଛି। ଏହି ରାସ୍ତା ଦେଇ ବିଭାଗୀୟ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଉଚ୍ଚପଦସ୍ଥ ଅଧିକାରୀମାନେ ଦୈନିକ ଯାଉଥିଲେ ବି ସେମାନଙ୍କ ଏଥିପ୍ରତି ନଜର ନାହିଁ ବୋଲି ମତ ପ୍ରକାଶ ପାଇବା ସହ ପୂର୍ତ୍ତ ବିଭାଗର କାର୍ଯ୍ୟ କଳାପ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ନିର୍ଦିଷ୍ଟ କିଛି ଠିକାଦାର ଙ୍କୁ ଧରି କାର୍ଯ୍ୟ କରିବା ବ୍ୟତୀତ ରାସ୍ତାର ଅନ୍ୟ ରକ୍ଷଣା ବେକ୍ଷଣ ଉପରେ ବିଭାଗ ଦୃଷ୍ଟି ଦେଉନାହିଁ। ରାଜ୍ୟ ସରକାର ରାସ୍ତାରେ ବାଇକରେ ଗଲାବେଳେ ଯେପରି ହେଲମେଟ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ଅନୁରୂପ ଭାବେ ରାସ୍ତାର ଉଭୟ ପଟେ ଥିବା ବାଲି କୁ ଉଠାଇବାର ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। ଯଦି ଏ ଦିଗରେ ଅବହେଳା କରାଯାଏ ତେବେ ମଇ ୪ ତାରିଖରେ ଥିବା ଜିଲ୍ଲାପାଳଙ୍କ ଜନଶୁଣାଣି ରେ ଏକଥା ଉଠାଇ ରାସ୍ତା ରୋକ କରାଯିବ ବୋଲି ସାମାଜିକ କର୍ମୀ ଶରତ କୁମାର ସାହୁ, ଅଞ୍ଜନ କୁମାର ସେନାପତି ଓ ସୁବଳ କୁମାର ସାହୁଙ୍କ ସମେତ ବଜାର କମିଟି ତଥା ସଚେତନ ନାଗରିକଙ୍କ ପକ୍ଷରୁ ଦାବି କରାଯାଇଛି।
