ବେତନଟୀରେ ବଡ଼ ଧରଣର ଠକେଇ କାଣ୍ଡ: ସରକାରୀ ଆକାଉଣ୍ଟରୁ ୨.୨୬ କୋଟି ଟଙ୍କା ଲୁଟି ନେଇଛନ୍ତି ଠକ
ବେତନଟୀ, ମୟୂରଭଞ୍ଜ, ୨୪/୪: ମୟୂରଭଞ୍ଜ ଜିଲ୍ଲାର ବେତନଟୀ ଅଞ୍ଚଳରେ ଏକ ବଡ଼ ଧରଣର ବ୍ୟାଙ୍କ ଠକେଇ ଘଟଣା ସାମ୍ନାକୁ ଆସିଛି। ବେତନଟୀ ପଞ୍ଚାୟତ ସମିତି ନାମରେ ଥିବା ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ମୋଟ ୨ କୋଟି ୨୬ ଲକ୍ଷ ଟଙ୍କା ଅଜଣା ଠକମାନେ ଇ-ବ୍ୟାଙ୍କିଂ ମାଧ୍ୟମରେ ୨୮ଟି ଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିନେଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ସ୍ଥାନୀୟ ପ୍ରଶାସନ ଓ ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି।
ଅଭିଯୋଗ ଅନୁଯାୟୀ, ଗତ ମାର୍ଚ୍ଚ ୨୪ ତାରିଖରେ ଜଣେ ଅଣ-ଓଡିଆ ବ୍ୟକ୍ତି ନିଜକୁ ବେତନଟୀ ବ୍ଲକର ବିଡିଓଙ୍କ ପ୍ରତିନିଧି ବୋଲି ପରିଚୟ ଦେଇ ବେତନଟୀର ୟୁକ ବ୍ୟାଙ୍କ ଶାଖାରେ ପହଞ୍ଚିଥିଲେ। ସେ ବେତନଟୀ ପଞ୍ଚାୟତ ସମିତି କାର୍ଯ୍ୟାଳୟର ନାମରେ ତିଆରି ହୋଇଥିବା ଏକ ଆବେଦନପତ୍ର ଦାଖଲ କରିଥିଲେ, ଯେଁଉଥୀରେ ବେତନଟୀ ବିଡିଓ ସୁଶାନ୍ତ କୁମାର ସୁତାରଙ୍କ ଦସ୍ତଖତ ଓ ଅଧିକାରିକ ସିଲ ଥିବା ଦେଖାଯାଉଥିଲା। ସେହି ଆବେଦନପତ୍ରରେ ଦୁଇଟି ସରକାରୀ ଆକାଉଣ୍ଟରେ ମୋବାଇଲ ନମ୍ବର ଓ ଇ-ମେଲ ଆଇଡି ଅପଡେଟ କରିବାକୁ ଅନୁରୋଧ କରାଯାଇଥିଲା।
ତା ପରଦିନ, ଅର୍ଥାତ୍ ମାର୍ଚ୍ଚ ୨୫ ତାରିଖରେ, ସେହି ବ୍ୟକ୍ତି ପୁଣିଥରେ ବ୍ୟାଙ୍କକୁ ଆସି ଆଉ ଗୋଟିଏ ଆବେଦନପତ୍ର ଦାଖଲ କରିଥିଲେ। ଏଥିରେ ଇ-ବ୍ୟାଙ୍କିଂ ସୁବିଧା ପାଇଁ ୟୁଜର ଆଇଡି ଓ ପାସୱାର୍ଡ ଇସ୍ୟୁ କରିବାକୁ ଅନୁରୋଧ ଥିଲା। ଏହି ଆବେଦନପତ୍ରରେ ମଧ୍ୟ ବିଡିଓ ଶ୍ରୀ ସୁତାରଙ୍କ ଦସ୍ତଖତ ଓ ସିଲ ଥିବା ଦେଖା ଯାଇଥିଲା।
ବ୍ୟାଙ୍କ କର୍ତ୍ତୃପକ୍ଷ ଏହି ଆବେଦନପତ୍ରକୁ ସତ୍ୟ ବୋଲି ଧରି ଆବଶ୍ୟକ ପ୍ରକ୍ରିୟା ପୂରଣ କରିଥିଲେ। ପରେ ଅଭିଯୁକ୍ତ ଇ-ବ୍ୟାଙ୍କିଂ ଆକ୍ସେସ୍ ପାଇବା ସହିତ, ଦୁଇଟି ସରକାରୀ ଆକାଉଣ୍ଟରୁ ପର୍ଯ୍ୟାୟକ୍ରମେ ମୋଟ ୨ କୋଟି ୨୬ ଲକ୍ଷ ଟଙ୍କାକୁ ୨୮ଟି ଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରିଦେଇଥିଲା।
ଏହି ବଡ଼ ଧରଣର ଅର୍ଥ ହେରଫେର ଘଟଣାକୁ ୟୂକ ବ୍ୟାଙ୍କ କର୍ତ୍ତୃପକ୍ଷ ତୁରନ୍ତ ଧରି ପାରିନଥିଲେ। ଗତ ଏପ୍ରିଲ୍ ୨୧ ତାରିଖରେ ବେତନଟୀ ବ୍ଲକ କର୍ତ୍ତୃପକ୍ଷ ଆକାଉଣ୍ଟ ଯାଞ୍ଚ ସମୟରେ ଏହି ଅତିରିକ୍ତ ଟ୍ରାନ୍ଜାକ୍ସନ ବିଷୟରେ ଜାଣିବାକୁ ପାଇଥିଲେ। ପରେ ଘଟଣା ସମ୍ପର୍କରେ ବ୍ୟାଙ୍କ ମ୍ୟାନେଜର ଅର୍ପିତା ପାଲଙ୍କ ଦ୍ୱାରା ବେତନଟୀ ପୋଲିସ ଥାନାରେ ଲିଖିତ ଅଭିଯୋଗ ଦାଖଲ କରାଯାଇଥିଲା।
ପୁଲିସ ପ୍ରାରମ୍ଭିକ ତଦନ୍ତରେ ଜାଣିପାରିଛି ଯେ ଆବେଦନପତ୍ରରେ ବ୍ୟବହୃତ ସିଲ ଓ ଦସ୍ତଖତ ସବୁ ନକଲି ଥିଲା। ଠକମାନେ ଯୋଜନାବଦ୍ଧ ଭାବରେ ପ୍ରଥମେ ଆକାଉଣ୍ଟର ସଂପର୍କିତ ସୂଚନା ଅପଡେଟ କରି, ପରେ ଇ-ବ୍ୟାଙ୍କିଂ ଆକ୍ସେସ୍ ନେଇ ଏହି ଅର୍ଥ ହେରଫେର କରିଥିବା ସନ୍ଦେହ କରାଯାଉଛି।
ଏହି ଘଟଣା ପରେ ବେତନଟୀ ପୋଲିସ ମାମଲା ଏକ ଠକେଇ ମାମଲା ରେଜିଷ୍ଟର କରି ତଦନ୍ତ ଆରମ୍ଭ କରିଛି। ସମ୍ପୃକ୍ତ ବ୍ୟାଙ୍କର ସିସିଟିଭି ଫୁଟେଜ୍, ଟ୍ରାନ୍ଜାକ୍ସନ ରେକର୍ଡ ଓ ଅନ୍ୟାନ୍ୟ ଡିଜିଟାଲ୍ ପ୍ରମାଣ ସଂଗ୍ରହ କରାଯାଉଛି। ଏହା ସହିତ ଯେଉଁ ୨୮ଟି ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଛି, ସେଗୁଡିକର ଟ୍ରାକିଂ ମଧ୍ୟ ଆରମ୍ଭ ହୋଇଛି।
ଅନ୍ୟପଟେ, ବ୍ୟାଙ୍କ ପକ୍ଷରୁ ଦାବି କରାଯାଇଛି ଯେ ଟଙ୍କା ସୁରକ୍ଷିତ ରହିଛି ଓ ଏହାକୁ ଫେରାଇବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ବେତନଟୀ ବ୍ଲକ ପକ୍ଷରୁ ମଧ୍ୟ ଏହି ଘଟଣାକୁ ଗୁରୁତ୍ୱ ସହକାରେ ନିଆଯାଇଛି ବୋଲି ସୂଚନା ମିଳିଛି।
ବେତନଟୀରେ ଘଟିଥିବା ଏହି ବଡ଼ ଧରଣର ବ୍ୟାଙ୍କ ଠକେଇ ଘଟଣା ସରକାରୀ ଆର୍ଥିକ ବ୍ୟବସ୍ଥା ଓ ବ୍ୟାଙ୍କର ସୁରକ୍ଷା ବ୍ୟବସ୍ଥା ଉପରେ ଦୃଢ ପ୍ରଶ୍ନ ଉଠାଉଛି। ନକଲି ଦସ୍ତଖତ ଓ ସିଲ ଆଧାରରେ ଏତେ ବଡ଼ ଟ୍ରାନ୍ଜାକ୍ସନ ହେବା ୟୁକ ବ୍ୟାଙ୍କର ସୁରକ୍ଷା ଜନିତ ତ୍ରୁଟିକୁ ସ୍ପଷ୍ଟ କରୁଛି। ତଦନ୍ତ ପରେ ଏହି ଘଟଣାର ସମ୍ପୂର୍ଣ୍ଣ ପର୍ଦାଫାଶ ହେବା ସହିତ ଦୋଷୀମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଶା କରାଯାଉଛି। ସେଥିପାଇଁ ଭବିଷ୍ୟତରେ ଏପରି ଘଟଣା ରୋକିବା ପାଇଁ ବ୍ୟାଙ୍କ ଓ ସରକାରୀ କାର୍ଯ୍ୟାଳୟମାନେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ା କରିବା ଆବଶ୍ୟକ ବୋଲି ବୁଦ୍ଧି ଯିବି ମହଲରେ ଆଲୋଚନା ହେଉଛି।
